ମା’ଙ୍କ ବିରୋଧରେ ଥାନାରେ ପୁଅ,ଝିଅ: ଏକାଧିକ ପର ପୁରୁଷଙ୍କ ସହ…

ଭୁବନେଶ୍ୱର,୧।୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାରେ ଶନିବାର ମା’ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ନାବାଳିକା ଝିଅ ଓ ପୁଅ। ମା’ଙ୍କର ଏକାଧିକ ପର ପୁରୁଷଙ୍କ ସହ ସମ୍ପର୍କ ରହିଛି ଓ ସେମାନେ ଅଧିକାଂଶ ସମୟ ଘରକୁ ମଧ୍ୟ ଆସନ୍ତି। ଏନେଇ ବିରୋଧ କଲେ ତାଙ୍କ ମା’ ମାଡ଼ ମାରିବା ସହ ଅତ୍ୟାଚାର କରନ୍ତି ବୋଲି କହିଛନ୍ତି ପୁଅ, ଝିଅ। ବାପା ଜେଲ୍‌ରେ ଥିବାରୁ ମା’ଙ୍କୁ କେହି ଅଟକାଇ ପାରୁନାହାନ୍ତି। ଏଭଳି କିଛି ଅଭିଯୋଗ ମା’ଙ୍କ ବିରୋଧରେ ଆଣି ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଭଉଣୀଭାଇ। ପୋଲିସ ଏନେଇ ଏକ ମାମଲା (ନଂ.୩୪୫/୨୧) ରୁଜୁ କରିବା ସହ ନାବାଳିକାଙ୍କର ଡାକ୍ତରୀମାଇନା କରାଇଥିଲା। ପରେ ତାଙ୍କୁ ଚାଇଲ୍ଡ ଲାଇନଙ୍କୁ ହସ୍ତାନ୍ତର କରାଯାଇଛି। ଅପରପକ୍ଷରେ ଝିଅକୁ ଫସାଇ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର କରାଯାଇଛି ବୋଲି ସମ୍ପୃକ୍ତା ମା’ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଅଭିଯୋଗ ଅନୁଯାୟୀ , ତାଙ୍କ ମା’ଙ୍କ ସହ ସମ୍ପର୍କ ରଖିଥିବା ଅନ୍ୟ ପୁରୁଷମାନେ ବିଭିନ୍ନ ସମୟରେ ଘରକୁ ଆସନ୍ତି। ଏପରିକି ମା’ ସେମାନଙ୍କ ସହ ମିଶି ମଦ ପିଅନ୍ତି। ମା’ଙ୍କ ସହ ସମ୍ପର୍କ ରଖିବା ପରେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥାନ୍ତି। ଏପରିକି ଚନ୍ଦନ ନାମକ ଜଣେ ବ୍ୟକ୍ତି ମା’ଙ୍କୁ ମଦ ପିଆଇ ବେହୋସ କରିବା ପରେ, ମୋ ଦେହ ଓ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଥିଲେ। ହେଲେ ସେହି ସମୟରେ ଭାଇ ଆସିଯିବାରୁ ମୁଁ ବଞ୍ଚିଯାଇଥିଲି ବୋଲି ନାବାଳିକା କହିଛନ୍ତି। ଏନେଇ ମା’ଙ୍କୁ ଜଣାଇବା ପରେ ମଧ୍ୟ ସେ ଚୁପ୍‌ ରହିବାକୁ କହିବା ସହ ମୁହଁ ଖୋଲିଲେ ମାଡ଼ ମାରିବେ ବୋଲି ଧମକ ଦେଉଛନ୍ତି। ଗତ ଦୁଇ ତିନି ବର୍ଷ ହେବ ମାଙ୍କର ଏଭଳି ଅତ୍ୟାଚାର ବୃଦ୍ଧିପାଇଛି ବୋଲି ନାବାଳିକା ଅଭିଯୋଗରେ ଦର୍ଶାଇଛନ୍ତି। ଅପରପକ୍ଷେ ସମ୍ପୃକ୍ତା ମା’ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ନାବାଳିକା ଝିଅର ସ୍ମୃତି ରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ସହ ଥିବା ଖରାପ ସମ୍ପର୍କକୁ ବାରଣ କରିବାରୁ ତାଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା କହିଛନ୍ତି।

Share