ଶାଶୁଙ୍କୁ ହତ୍ୟାକରି ଫେରାର ଥିଲେ ଜ୍ୱାଇଁ: ୨୮ ବର୍ଷ ପରେ ଧରିଲା ପୋଲିସ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ହତ୍ୟାକାରୀଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି ଚେନ୍ନାଇ ପୋଲିସ। ଅଭିଯୁକ୍ତ ଜଣକ ହରିହର ପାଟଯୋଶୀ(୫୦)। ବ୍ରହ୍ମପୁର ପୋଲିସ ସହାୟତାରେ ଚେନ୍ନାଇ ପୋଲିସ ଗୋଶାଣି ନୂଆଗାଁ ଅଞ୍ଚଳରୁ ୨୮ବର୍ଷ ପରେ ଫେରାର ଥିବା ଅଭିଯୁକ୍ତ ହରିହରଙ୍କୁ ଗିରଫ କରାଯାଇଥିବା ନେଇ ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ୍‌ ଏକ ପ୍ରେସ୍‌ ବିବୃତି ଜରିଆରେ ସୂଚନା ଦେଇଛନ୍ତି।

ଗିରଫ ପରେ ହତ୍ୟାକାରୀଙ୍କୁ ଚେନ୍ନାଇର ଅଦମ୍‌ବକଲମ ପୋଲିସ ନେଇ ସ୍ଥାନୀୟ କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି। ହରିହର ଚେନ୍ନାଇରେ ଏକ ସଂସ୍ଥାରେ କାମ କରୁଥିବା ବେଳେ ସେଠାରେ ଇନ୍ଦିରା ନାମକ ଜଣେ ଯୁବତୀଙ୍କୁ ୧୯୯୪ରେ ବିବାହ କରିଥିଲେ। କିଛିମାସ ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଦିନେ ହରିହର ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଇନ୍ଦିରା, ଶଳା ଏବଂ ଶାଶୁ ରମାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଇନ୍ଦିରା ଓ ତାଙ୍କ ଭାଇ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବାବେଳେ ୧୯୯୫ ଅଗଷ୍ଟ ୯ ତାରିଖରେ ଇନ୍ଦିରାଙ୍କ ମା’ ରମାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଥାନାରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ହରିହରଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତ ହରିହର ଫେରାର ହୋଇଯାଇଥିଲା। ତାଙ୍କୁ ଧରିବା ପାଇଁ ଚେନ୍ନାଇ ପୋଲିସ ତଦନ୍ତ ଜାରି ରଖିଥିଲା। ଶେଷରେ ଅଦମ୍‌ବକଲମ ପୋଲିସ ବ୍ରହ୍ମପୁର ଆସି ସ୍ଥାନୀୟ ପୋଲିସ ସହାୟତାରେ ଅଭିଯୁକ୍ତ ହରିହରଙ୍କୁ ଗିରଫ କରିଛି।

Share