ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗୁଣ୍ଡାଗିରି: ବନ୍ଧୁକ ଦେଖାଇ ସ୍ତ୍ରୀ, ଶିଶୁକନ୍ୟାକୁ ଅପହରଣ

ରୂପସା,୧୯।୭( ବାଞ୍ଛାନିଧି ଦେ): ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗୁଣ୍ଡାଗିରି । ବିଳମ୍ବିତ ରାତିରେ ଶ୍ବଶୁର ଘର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରି ସ୍ତ୍ରୀ ଏବଂ ୮ ମାସର ଶିଶୁକନ୍ୟାକୁ ଅପହରଣ କରି ସ୍ବାମୀ ଫେରାର। ଅପରପକ୍ଷରେ ଝିଅ ଏବଂ ନାତୁଣୀକୁ ଉଦ୍ଧାର ପାଇଁ ଅପହୃତା ମହିଳାଙ୍କ ବାପାଘର ଲୋକେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ସୂଚନା ମୁତାବକ ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ସଦର ବ୍ଲକ ଆଳୁମେଦା ଗ୍ରାମର ବ୍ରଜମୋହନ ମହାନ୍ତିଙ୍କ ଝିଅ ସୌମ୍ୟା ସୁଚୟତାଙ୍କ ସହ ରାଇପୁର ଗ୍ରାମର ଦେବେନ୍ଦ୍ର ସାହୁ ଙ୍କର ୮ ବର୍ଷ ପୂର୍ବରୁ ବିବାହ ହୋଇଥିଲା । ଦେବେନ୍ଦ୍ର ବିବାହ ପରଠାରୁ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ବିଭିନ୍ନ ସମୟରେ ଗ୍ରାମବାସୀ ଓ ଭଦ୍ରବ୍ୟକ୍ତିଙ୍କ ମଧ୍ୟରେ ବୈଠକ ବସି ଆପୋଷ ସମାଧାନ ହୋଇଥିଲା । ଗତବର୍ଷ ଦେବେନ୍ଦ୍ର ନିଶାଗ୍ରସ୍ତ ଅବସ୍ଥାରେ ସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ଝିଅଙ୍କ ଜୀବନ ପ୍ରତି ବିପଦ ଥିବାରୁ ବାପାଘର ଲୋକେ ତାଙ୍କୁ ଓ ତାଙ୍କ ଶିଶୁ କନ୍ୟାକୁ ଘରକୁ ନେଇଯାଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ସ୍ବାମୀ ଦେବେନ୍ଦ୍ର ୧୫ରୁ ଊର୍ଦ୍ଧ୍ୱ ସହଯୋଗୀଙ୍କୁ ନେଇ ଶ୍ବଶୁର ଘରେ ପହଞ୍ଚିଥିଲେ। ବନ୍ଧୁକ ଭୁଜାଲି, ଖଣ୍ଡା, ଛୁରି ଆଦି ମାରଣାସ୍ତ୍ରରେ ଦେଖାଇ ଶ୍ବଶୁର, ଶାଶୁ ଏବଂ ଶଳାଙ୍କୁ ଆକ୍ରମଣ କରି ଭୟଭୀତ କରାଇଥିଲେ । ପରେ କବାଟ ଭାଙ୍ଗି ଜୋର ଜବରଦସ୍ତ ସ୍ତ୍ରୀ ଏବଂ ୮ ମାସର ଶିଶୁକନ୍ୟାକୁ ନେଇ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକେ ସଙ୍ଗେ ସଙ୍ଗେ ସିଂଲା ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଏଯାବ୍‌ତ ଅପହୃତା କି ଅଭିଯୁକ୍ତମାନଙ୍କର କୌଣସି ସନ୍ଧା ନ ମିଳିନ ଥିବା ଜଣାପଡିଛି । ମାଆ, ଝିଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସିଂଲା ଥାନା ଦାୟିତ୍ୱରେ ଥିବା ବାଲିଆପାଳ ଥାନା ଆଇଆଇସିଙ୍କୁ ବୁଧବାର ଭେଟି ସୌମ୍ୟାଙ୍କ ମା’, ବାପା ଓ ଭାଇ ନିବେଦନ କରିଛନ୍ତି । ଏ ନେଇ ସିଂଲା ଥାନା ରେ ୧୩୧/୨୩ ନଂ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।