ନୂଆଁଖାଇରେ ବାପାଙ୍କୁ ଗୋଡ଼ାଇ ହାଣିଲେ ପୁଅ

ରେଢାଖୋଲ,୧୧ା୯(ଡି.ଏନ.ଏ.): ଶନିବାର ସମଗ୍ର ପଶ୍ଚିମ ଓଡ଼ିଶାରେ ଆନନ୍ଦ ଉଲ୍ଲାସରେ ନୂଆଁଖାଇ ପର୍ବ ପାଳିତ ହେଉଥିବା ବେଳେ ସାମାନ୍ୟ କଳିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ବାପାଙ୍କୁ ଗୋଡାଇ ହାଣିଛନ୍ତି ପୁଅ। ଘଟଣାସ୍ଥଳରେ ବାପା ଶୁକ୍ରୁ ମିର୍ଦ୍ଧା (୫୫)ଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତର ଆମ୍ବଝରୀ ଗ୍ରାମରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି। ରେଢାଖୋଲ ପୋଲିସ ଗ୍ରାମରେ ପହଞ୍ଚତ୍ ଅଭିଯୁକ୍ତ ପୁଅ ଟଙ୍କଧର ମିର୍ଦ୍ଧା (୨୦)ଙ୍କୁ ଧରି ଥାନାକୁ ଆଣିଛି।

ମିଳିଥିବା ସୂଚନା ମୁତାବକ ବାପା ଶୁକ୍ରୁ ଓ ପୁଅ ଟଙ୍କଧରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ଲାଗିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଟଙ୍କଧର ବାପା ଶୁକ୍ରୁଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଭୟରେ ଶୁକ୍ରୁ ଗାଁ ଦାଣ୍ଡରେ ଦୌଡି ପଳାଉଥିବା ବେଳେ ଟଙ୍କଧର ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ଏ ନେଇ ମୃତକଙ୍କ ପୁତୁରା ଗୌତମ ମିର୍ଦ୍ଧା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୧୬୪/୨୧ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ଶୁକ୍ରୁଙ୍କ ସ୍ତ୍ରୀଙ୍କ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୨ ପୁଅ ଅଛନ୍ତି। ବଡ ପୁଅ ଝାରସୁଗୁଡ଼ାରେ କାମ କରୁଥିବା ବେଳେ ସାନପୁଅ ସହିତ ଶୁକ୍ରୁ ଗ୍ରାମରେ ରହୁଥିଲେ।

Share