ବାପାଙ୍କୁ ହତ୍ୟା କରି ପୋତି ଦେଇଥିଲା ପୁଅ: ୨୩ ଦିନ ପରେ ଧରିଲା ପୋଲିସ

ସିମୁଳିଆ,୧୧।୭(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ଅଞ୍ଚଳର ପିତୃହତ୍ୟାକାରୀ ପୁଅ ରମେଶ ଚନ୍ଦ୍ର ବେହେରାକୁ ୨୩ଦିନ ପରେ ପୋଲିସ ହାଇଦ୍ରାବାଦରୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

ପିତୃହନ୍ତା ରମେଶ ନିଜର ଦୋଷ ସ୍ବୀକାର କରିବା ବାଲେଶ୍ୱର ଏସ୍‌ଡିପିଓ ଶଶାଙ୍କ ଶେଖର ବେଉରିଆ ସିମୁଳିଆ ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତ ରମେଶଙ୍କୁ ହତ୍ୟା କରି ପୋତିଦେଇଥିବା ସ୍ଥାନକୁ ନେଇ ପୋଲିସ ଡେମୋ ଦେଖିବା ସହିତ ଅଧିକ ପଚରାଉଚରା କରିଛି। ନିଶାସକ୍ତ ଅବସ୍ଥାରେ ପୁଅ ରମେଶ ନିଜ ବାପାଙ୍କୁ ଠେଙ୍ଗାରେ ପିଠି ଗୋଡ ଭାଙ୍ଗିଦେବା ସହିତ ମୁଣ୍ଡକୁ ପିଟି ଦେବାରୁ ତାଙ୍କ ବାପାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗରସଙ୍ଗ ଅଞ୍ଚଳର ରମେଶ ନିଶାସକ୍ତ ଅବସ୍ଥାରେ ନିଜ ମା’ବାପାଙ୍କୁ ବିଭିନ୍ନ ସମୟରେ ଗାଳିଗୁଳଜ କରି ମାଡ଼ ମାରୁଥିଲେ। ତେବେ ଜୁନ ୧୬ ତାରିଖ ରାତିରେ ରମେଶ ନିଜ ବାପା ପ୍ରଭାକରଙ୍କ ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ରମେଶ ରାଗି ଯାଇ ବାପାଙ୍କୁ ଠେଙ୍ଗାରେ ପିଟିଥିଲେ। ପରେ ଘରର ସମସ୍ତ ସଦସ୍ୟ ନିଖୋଜ ହୋଇଯାଇଥିଲେ। ଘରେ ତାଲା ପଡିଥିବା ସହ ଘର ପଛ ପାର୍ଶ୍ୱ ସାରୁ ଖାଲରୁ ପଚା ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ କୁପାରୀ ଯୋଡାଗଡିଆ ଅଞ୍ଚଳରେ ବିବାହ କରିଥିବା ରମେଶଙ୍କ ଭଉଣୀ ମମତାଙ୍କୁ ଏହି ସୂଚନା ଦେଇଥିଲେ।

ମମତାଙ୍କ ଅଭିଯୋଗ କ୍ରମେ ପୋଲିସ ମାଟି ଖୋଳି ବାପା ପ୍ରଭାକରଙ୍କ ମୃତଦେହ ଠାବ କରିଥିଲା। ପରେ ତାଙ୍କ ମା’ ଚମ୍ପାଙ୍କୁ ଠାବ କରିବା ପାଇଁ ପୋଲିସ ଜେଶିବି ଲଗାଇ ବିଭିନ୍ନ ସ୍ଥାନରେ ମାଟି ଖୋଳି ଖୋଜି ଥିଲା। ଘଟଣାର ୩ଦିନ ପରେ ଚମ୍ପା ଅଟୋରେ ଘର ନିକଟରେ ଓହ୍ଲାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ମା’ ଚମ୍ପାଙ୍କ ବୟାନକୁ ଆଧାର କରି ପୋଲିସ ୩ଟି ଟିମ୍‌ ଗଠନ କରି ବୁଧବାର ରମେଶକୁ ହାଇଦ୍ରାବାଦରୁ ଗିରଫ କରିଥିଲା। ତେବେ ବାପା ପ୍ରଭାକରଙ୍କୁ ହତ୍ୟା ପରେ ରମେଶ ମୃତଦେହକୁ ଏକ ଗାତ ଖୋଳି ପୋତି ଦେଇଥିଲେ। ଏହି ଘଟଣା ପଛରେ ଏକାଧିକ ଲୋକଙ୍କ ସହଯୋଗୀ ଥିବା ସ୍ଥାନୀୟ ଲୋକେ ଏବେ ସନ୍ଦେହ ପ୍ରକାଶ କରିଛନ୍ତି।

Share