ମାଛ ତରକାରୀ ରାନ୍ଧି ନ ଦେବାରୁ ମାଆଙ୍କୁ ତଣ୍ଟି ଚିପି ହତ୍ୟା କଲା ପୁଅ

ବାଲେଶ୍ୱର,୧୭।୭: କଥାରେ ଅଛି ରାଗ ମଣିଷର ବଡ଼ ଶତ୍ରୁ। ଆଉ ଏହି ରାଗ ହ୍ରିଂସ ରୂପ ଧାରଣ କଲେ ନିଜ ଜନ୍ମକଲା ମାଆକୁ ବି ଚିହ୍ନିପାରେନି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରରେ। ମନ ପସନ୍ଦରର ମାଛ ତରକାରୀ ରାନ୍ଧି ଖାଇବାକୁ ନ ଦେବାରୁ ପିଶାଚ ପୁଅ ନିଜ ମାଆର ତଣ୍ଟି ଚିପି ହତ୍ୟା କରିଛି।

ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତ ତାଳପଦା ଗାଁରେ। ମୃତ ମହିଳା ଜଣଙ୍କ ବାସନ୍ତି ମହାନ୍ତି। ପୋଲିସ ଅଭିଯୁକ୍ତ ପୁଅ ଅରୁଣ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଗତକାଲି ରାତିରେ ଅରୁଣ ମଦ୍ୟପାନ କରି ଘରକୁ ଆସିଥିଲା। ମନ ପସନ୍ଦର ଜିନିଷ ବନାଇ ଖାଇବାକୁ ଦେବାକୁ କହିଥିଲା ପୁଅ। ଏହାକୁ ନେଇ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଅରୁଣଙ୍କ ମୁଣ୍ଡକୁ ରାଗ ଚଢି ଯାଇଥିଲା। ଏହାପରେ ସେ ମା’ର ତଣ୍ଟି ଚିପି ଦେଇଥିଲା। ବାସନ୍ତୀଙ୍କୁ ତଣ୍ଟି ଚିପି ମାରୁଥିବା ଦେଖି ଅରୁଣଙ୍କ ସ୍ତ୍ରୀ ଦୌଡି ଆସିଥିଲେ। ଏପରି କରିବାକୁ ଅରୁଣଙ୍କୁ ଯେତେ ରୋକିଥିଲେ ମଧ୍ୟ ସେ ତାଙ୍କ ସ୍ତ୍ରୀଙ୍କୁ ମାରଧର କରିଥିଲେ। ଘଟଣାସ୍ଥଳରେ ବାସନ୍ତୀଙ୍କର ମୃତ୍ୟୁ ଘଟିଥିଲା। ଘଟଣାସଂପର୍କରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Share