ମା’ଙ୍କୁ ହତ୍ୟା କରିଥିଲେ ପୁଅ: ଆଜୀବନ ଜେଲଦଣ୍ଡ ଶୁଣାଇଲେ କୋର୍ଟ

କେନ୍ଦୁଝର,୨୨ା୧(ଦୀପକ ମିଶ୍ର): କେନ୍ଦୁଝର ଏଡିଜେ କୋର୍ଟରେ ଏକ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଜଜ ମମିତା ଦାସ ମା’ଙ୍କୁ ହତ୍ୟା କରିଥିବା ପୁଅକୁ ଦୋଷୀ ସାବସ୍ତ୍ୟ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୬ ମାସ ସଶ୍ରମ କାରଦଣ୍ଡ ଶୁଣାଇଛନ୍ତି।

ମାମଲା ବିବରଣୀ ଅନୁଯାୟୀ, କାଞ୍ଜିପାଣି ଥାନା ଅନ୍ତର୍ଗତ ନିପୋ ଗ୍ରାମର ଜହ୍ନି ସନଙ୍ଗିଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସାବତ ପୁଅ ବୋଇତାଳୁ ସନଙ୍ଗି(୩୦)ଙ୍କ ସହ ରହୁଥିଲେ। ୨୭ ଜାନୁଆରୀ ୨୦୨୦ରେ କୌଣସି କାରଣକୁ ନେଇ ସାବତ ପୁଅ ଜହ୍ନିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଖବର ପାଇ ମୃତକଙ୍କ ଭାଇ ଆଇଦୁ ଦେହୁରୀ ନିପୋ ଗ୍ରାମରେ ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ। କାଞ୍ଜିପାଣି ପୋଲିସ ଏକ ମାମଲା(ନଂ. ୫/୨୦) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ସୋମବାର ୨୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଉପରୋକ୍ତ ରାୟ ଦେଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡ୍‌ସିନାଲ ପିପି ପ୍ରଫୁଲ୍ଲ କୁମାର ପାତ୍ର ସୂଚନା ଦେଇଛନ୍ତି।