ବୋହୂଙ୍କୁ ଫେରାଇ ଆଣିବାକୁ କହିବାରୁ ମା’ଙ୍କୁ ହତ୍ୟା

ସୁନ୍ଦରଗଡ଼,୭ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅଧୀନ ମନଭଲାପଡ଼ାରେ ମଦ୍ୟପ ପୁଅ ନିଜ ମା’ଙ୍କୁ ଇଟାରେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଉକିଆ ବାର୍ଲା (୬୫)।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଅଭିଯୁକ୍ତ ପୁଅ ଇଂରାଜୀ ବାର୍ଲା(୩୦)ଙ୍କୁ ଗିରଫ କରି ଅଧିକ ପଚରାଉଚୁରା ଚଳାଇଛି। ଏ ନେଇ ଲେଫ୍ରିପଡା ଥାନାରେ ଏକ ହତ୍ୟା ମାମଲା (ନଂ. ୨୦୯/୨୦୨୧) ରୁଜୁ ହୋଇଛି।

ସୂଚନା ମୁତାବକ, ମନଭଲାପଡ଼ାର ଲଡୁ ବାର୍ଲାଙ୍କ ପୁଅ ଇଂରାଜୀ ମଦ୍ୟପାନ କରି ନିଜ ସ୍ତ୍ରୀ ସହିତ ଝଗଡା କରୁଥିଲେ। ଏନେଇ ୬ମାସ ହେଲା ସ୍ତ୍ରୀ ବାପକୁ ଚାଳିଯାଇଛନ୍ତି। ମଦ ଛାଡି ସ୍ତ୍ରୀଙ୍କୁ ବୁଝାଶୁଝା କରି ଘରକୁ ଆଣିବାକୁ ମା’ ବାପା ପୁଅଙ୍କୁ କହୁଥିଲେ। ହେଲେ ସେ ଓଲଟା ମା’ ବାପାଙ୍କୁ ଗାଳିଗୁଲଜ କରୁଥିଲା । ପୁଅର ଏଭଳି ଆଚରଣରେ ଅତିଷ୍ଠ ହୋଇ ବୃଦ୍ଧ ମା’ ବାପା ଗ୍ରାମରେ ଥିବା ଜଣେ ସମ୍ପର୍କୀୟ ଭଉଣୀଙ୍କ ଘରେ ରହୁଥିଲେ। ଶୁକ୍ରବାର ରାତିରେ ଇଂରାଜୀ ମଦପିଇ ସେଠାରେ ପହଞ୍ଚି ଥିଲେ। ଘରେ ଶୋଇ ଥିବା ମା’ଉକିଆଙ୍କୁ ବାହାରକୁ ଟାଣି ଆଣି ଏକ ଇଟାରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Share