ସାବତ ମା’ଙ୍କ ତଣ୍ଟିଚିପି ହତ୍ୟା କଲା ପୁଅ

ନବରଙ୍ଗପୁର,୨୦ା୭(ବି.ପ୍ର.): ନବରଙ୍ଗପୁର ଗାଦବାଗଡ଼ା ସ୍ବାମୀ ବିକେକାନନ୍ଦ ବିଦ୍ୟାଳୟ ନିକଟରେ ରହୁଥିବା ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର ଏକ ଗାମୁଚା ସାହାଯ୍ୟରେ ସାବତ ମାଆ ରୁନି ମହାପାତ୍ର(୫୦)ଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି। ସେ ନିଜେ ପୋଲିସ ନିକଟରେ ଏହା ସ୍ବୀକାର କରିଛନ୍ତି। ପୋଲିସ ସୂର୍ଯ୍ୟକାନ୍ତଙ୍କୁ ଅଟକ ରଖିଛି। ଏହି ଘଟଣାରେ ନବରଙ୍ଗପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ସଦର ମହକୁମା ଡାକ୍ତରଖାନାକୁ ପଠାଇଛି।
ଶ୍ରୀଧର  ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ୨ପୁଅ ଓ ୨ ଝିଅ। ଝିଅମାନେ ବିବାହ କରି ଶାଶୁଘରେ ରହୁଛନ୍ତି। ବଡ଼ ପୁଅ ମଧ୍ୟ ବାହାରେ ଚାକିରି କରୁଛନ୍ତି। ପ୍ରଥମ ସ୍ତ୍ରୀଙ୍କ ସାନପୁଅ ସୂର୍ଯ୍ୟକାନ୍ତ ବାପା ଓ ସାବତ ମା’ ନିକଟରେ ରହୁଥିଲେ। ଦ୍ୱିତୀୟ ସ୍ତ୍ରୀ ରୁନିଙ୍କର ଏକ ଦିବ୍ୟାଙ୍ଗ ପୁଅ ଆଶୁତୋଷକୁ ସାଥୀରେ ଆଣିଥିଲେ ଶ୍ରୀଧର। କିଛି ଦିନ ଗାଦବାଗୁଡ଼ା ସାହିରେ ଭଡ଼ାରେ ରହୁଥିଲେ। ଏକ ବର୍ଷ ହେବ ନୂଆଘର ତିଆରି କରି ସେଠାରେ ଦ୍ୱିତୀୟ ସ୍ତ୍ରୀ ଦିବ୍ୟାଙ୍ଗ ପୁଅ ଓ ସୂର୍ଯ୍ୟକାନ୍ତ ଏକାଠି ରହୁଥିଲେ। ଶନିବାର ଓ ରବିବାର ନବରଙ୍ଗପୁର ସହର ଶଟ୍‌ଡାଉନ୍‌ ଥିଲା। ଶ୍ରୀଧର ସୋମବାର ସକାଳୁ ଟ୍ରାଫିକ ଛକ ନିକଟରେ ଥିବା ତାଙ୍କ ହୋଟେଲ ଖୋଲିଥିଲେ। ସେହି ସମୟରେ ଦିବ୍ୟାଙ୍ଗ ପୁଅ ଆଶୁତୋଷ ବାପାଙ୍କୁ ଫୋନ୍‌ କରି ଭାଇ ମା’ଙ୍କୁ ହତ୍ୟା କରିଥିବା କହିଥିଲେ। ଏହା ଜାଣିବା ପରେ ଶ୍ରୀଧର ପୋଲିସକୁ ଖବର ଦେଇଥିଲେ। ଥାନାଧିକାରୀ ତାରିକ ଅହମ୍ମଦ, ଏଏସ୍‌ଆଇ ଅଶୋକ ଦେଓ ଘଟଣାସ୍ଥଳରେ ପହଞ୍ଚି ସୂର୍ଯ୍ୟକାନ୍ତଙ୍କୁ ଥାନାକୁ ନେବା ସହ ଘଟଣାର ତଦନ୍ତ କରୁଛନ୍ତି।

Share