ପୁଅ ହତ୍ୟା ମାମଲା: ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ

ଚମ୍ପୁଆ,୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ ଦୋଳଗୋବିନ୍ଦ ବାରିକ ଏକ ହତ୍ୟା ମାମଲାର ବିଚାର କରି ଶନିବାର ଦୋଷୀ ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

ପ୍ରକାଶ ଯେ, ବାମେବାରୀ ଥାନା ଅଧୀନ ବଳଭଦ୍ରପୁର ଗ୍ରାମର ନାରାୟଣ ମହାନ୍ତ ଟ୍ରାନସ୍ପୋର୍ଟିଂ କାରବାରକୁ ନେଇ ନିଜ ତୃତୀୟ ସ୍ତ୍ରୀଙ୍କ ପୁଅ ପିତାମ୍ବରଙ୍କ ସହ ପାଟିତୁଣ୍ଡ ଲାଗି ରହୁଥିଲା । ଦିନେ ଟଙ୍କା ଭାଗବଣ୍ଟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ଏହା ଉଗ୍ରରୂପ ନେଇଥିଲା। ନାରାୟଣଙ୍କ ପ୍ରଥମ ସ୍ତ୍ରୀ ମାଳତୀ ଓ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ଗୌତମ ପହଞ୍ଚି ପିତାମ୍ବରଙ୍କୁ ମାଡ଼ମାରି ତଳେ ପକାଇ ଦେଇଥିଲେ। ପରେ ନାରାୟଣ ଏକ ପଥରରେ ପିତାମ୍ବରଙ୍କୁ ଆକ୍ରମଣ କରିଥିଲେ। ସେ ସେଠାରୁ ଖସି ପଳାଉଥିବା ବେଳେ ୩ ଜଣ ମିଶି ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଅଭିଯୋଗ କ୍ରମେ ବାମେବାରୀ ଥାନାରେ ଏକ ହତ୍ୟା ମାମଲା (ନଂ.୧୧୩/୧୯) ରୁଜୁ ହୋଇଥିଲା। ୨୭ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଦୌରାଜଜ୍‌ ନାରାୟଣ ଓ ମାଳତିଙ୍କୁ ଆଜୀବନ କାରାଦଣ୍ଡ, ଗୌତମଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ମାମଲାକୁ ବରିଷ୍ଠ ସରକାରୀ ଓକିଲ ମଧୁସୁଦନ ପତି ପରିଚାଳନା କରିଥିଲେ।

Share