‘ବାପାଙ୍କୁ କୋଭିଡ୍‌ ହସ୍ପିଟାଲ ନିଅ’

କଟକ ଅଫିସ,୨୭ା୮: ପେଟରୋଗରେ ପୀଡ଼ିତ ଜଣେ ବୃଦ୍ଧ ଚିକିତ୍ସା ପାଇଁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ହେବା ଭିତରେ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି। ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ତାଙ୍କ ଚିକିତ୍ସା ଖର୍ଚ୍ଚ କରିପାରୁ ନାହାନ୍ତି ପରିବାର। ତେଣୁ ଦୁଇ ସନ୍ତାନ ଗୁରୁତର ଥିବା ବାପାଙ୍କୁ କୋଭିଡ୍‌ ହସ୍ପିଟାଲ ନେବା ପାଇଁ ପ୍ରଶାସନ ପାଖରେ ଆକୁଳ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, କଟକ ଜିଲା ନିଆଳି ବ୍ଳକର ଜଣେ ୬୪ ବର୍ଷୀୟ ବ୍ୟକ୍ତିଙ୍କ ପେଟରୋଗର ଚିକିତ୍ସା ପାଇଁ ପରିବାର ଲୋକେ ୧୦ ଦିନ ତଳେ ତାଙ୍କୁ କଟକ ସହରର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିଛି ଦିନ ପରେ ସେଠାକାର ଡାକ୍ତର ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆଉ ଗୋଟିଏ ବେସରକାରୀ ହସ୍ପିଟାଲକୁ ପଠାଇଥିଲେ। କିନ୍ତୁ ଦ୍ୱିତୀୟ ହସ୍ପିଟାଲ ମଧ୍ୟ ସମାନ ଢଙ୍ଗରେ ରୋଗୀଙ୍କୁ ଅନ୍ୟ ଗୋଟିଏ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଗତ ଶନିବାର ରାତିରେ ବୃଦ୍ଧ ଜଣଙ୍କୁ ତାଙ୍କ ପରିବାର ଲୋକେ ରାଣୀହାଟସ୍ଥିତ ଏକ ବେସରକାରୀ ହସ୍ପିଟାଲକୁ ଆଣିଥିଲେ। ସେଠାରେ କୋଭିଡ୍‌ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା। ସୋମବାର ରାତି ପରଠାରୁ ଉକ୍ତ ବ୍ୟକ୍ତି ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। କିନ୍ତୁ ପରିବାର ଲୋକେ ଏବେ ଆଉ ଚିକିତ୍ସା ଖର୍ଚ୍ଚ ବହନ କରିପାରୁ ନାହାନ୍ତି। ତେଣୁ ବାପାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଦୁଇ ସନ୍ତାନ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଙ୍ଗଳବାର ନିବେଦନ କରିଥିଲେ। କିନ୍ତୁ ସେଠାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।