ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ ଏହି ମହାମାରୀ କେତେକଙ୍କ ପରିବାରରୁ ନିଜ ଆତ୍ମୀୟଙ୍କୁ ଛଡ଼ାଇ ନେଉଛି। କେବଳ ସେତିକି ନୁହେଁ ମହାମାରୀ କରୋନାରେ ନିଜ ଆତ୍ମୀୟଙ୍କୁ ହରାଇବା ପରେ ପରିବାରଲୋକେ ତାଙ୍କୁ ରୀତିନୀତିରେ ଶେଷ ବିଦାୟ ମଧ୍ୟ ଦେଇପାରୁନାହାନ୍ତି। ଏଭଳି ସ୍ଥିତିରେ ଟୁଇଟରରେ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କରୋନା ପୀଡ଼ିତ ମା’ଙ୍କୁ ତାଙ୍କ ପୁଅ ଭିଡିଓ କଲ୍ ଜରିଆରେ ଗୀତ ଗାଇ ଶେଷ ବିଦାୟ ଦେଇଥିବା ଜଣାପଡ଼ିଛି। ଏନେଇ ଦୀପଶିଖା ଘୋଷ ନାମକ ଜଣେ ଡାକ୍ତର ମେ’ ୧୨ରେ ନିଜ ଟୁଇଟର ହ୍ୟାଣ୍ଡଲରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ତାଙ୍କ ଡ୍ୟୁଟି ଶେଷ ହେବା ପୂର୍ବରୁ ଜଣେ କରୋନା ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ଫୋନ କରିଥିଲେ। ମା’ଙ୍କ ଶେଷ ଅବସ୍ଥା ଜାଣିପାରି ଡାକ୍ତର ଦୀପଶିଖାଙ୍କୁ ତାଙ୍କ ପୁଅ ଗୋଟେ ମିନିଟ୍ର ସମୟ ମାଗିଥିଲେ। ଯୁବକ ଜଣଙ୍କ ମା’ଙ୍କ ଶେଷ ସମୟରେ ଭିଡିଓ କଲ୍ରେ ‘ତେରା ମୁଝ୍ସେ ହେ ପହଲେ କା ନାତା କୋଇ’ ଗୀତ ଗାଇଥିଲେ। ଶେଷ ସମୟ ପର୍ଯ୍ୟନ୍ତ ପୁଅ ସହ ମା’ ବି ଉକ୍ତ ଗୀତକୁ ଗୁଣୁଗୁଣାଇଥିଲେ। ପରେ ତାଙ୍କର ଦେହାନ୍ତ ଘଟିଥିଲା। ପୁଅ ଡାକ୍ତରଙ୍କୁ ମା’ଙ୍କ ବିଷୟରେ ପଚାରିବା ପରେ ଧନ୍ୟବାଦ କହି ଫୋନ କାଟିଦେଇଥିଲେ ବୋଲି ଦୀପଶିକ୍ଷା କହିଛନ୍ତି। ସେହି ସମୟରେ ତାଙ୍କର ଓ ନର୍ସଙ୍କ ଆଖି ଲୁହରେ ଭିଜିଯାଇଥିଲା ବୋଲି ଡାକ୍ତର ଦୀପଶିଖା ଉକ୍ତ ଟୁଇଟରରେ ଉଲ୍ଲେଖ କରିଛନ୍ତି।