ରାଉରକେଲା,୧୪ା୪(ସଙ୍ଗୀତା ଜେନା): ବହୁ ପୂର୍ବରୁ ମାଆଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବା ପାଇଁ ଜଣେ ପୁଅ ବିଷ୍ଣୁ- (୨୨) ତାଙ୍କ ବାପା କ୍ରାନ୍ତି କୁମାର ବର୍ମା (୫୫ ବର୍ଷ)ଙ୍କୁ ହତ୍ୟା କରିଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଭାଲୁ ପତ୍ରା ଗ୍ରାମରେ। ମୃତକ କ୍ରାନ୍ତି ଜେଲରେ ଥିଲେ ଏବଂ ଡିସେମ୍ବର ୨୦୨୪ରେ ମୁକ୍ତ ହୋଇଥିଲେ। ଅଭିଯୁକ୍ତ କାରଣ ଦର୍ଶାଇଥିଲେ ଯେ, ମୃତକ ମଧ୍ୟ ହିଂସାତ୍ମକ ଥିଲେ ଏବଂ ପୁଅକୁ ଆକ୍ରମଣ କରୁଥିଲେ। ଗାଁର ମହିଳାଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ବିଷ୍ଣୁ ରବିବାର ରାତିରେ ବାପାଙ୍କୁ ପଥରରେ ଛେଚି ହତ୍ୟା କରି ଜଙ୍ଗଲ ଭିତରେ ଲୁଚିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାରେ ବ୍ୟବହୃତ ପଥର ଜବତ ହୋଇଛି। ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ତଦନ୍ତ କରୁଛି। ଥାନାରେ ମାମଲା ରୁଜୁ ହୋଇନାହିଁ।