ପୁଅ ନେଲା ବାପର ଜୀବନ

ଜୟପୁର, ୩୧ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଛୁରାମାଡ଼ରେ ବାପାଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନୂଆସାହିର ଅମିର ନାଗ (୩୫)।

ମିଳିଥିବା ସୂଚନା ମୁତାବକ, ନୂଆସାହି ଚତୁର୍ଥ ଲାଇନରେ ଅମିର ପରିବାର ସହ ରହୁଥିଲେ। ବାପପୁଅଙ୍କ ମଧ୍ୟ କୌଣସି କାରଣକୁ ନେଇ ସର୍ବଦା ତିକ୍ତତା ଲାଗି ରହୁଥିଲା। ଗତ ୨୭ ତାରିଖରେ ନାବାଳକ ପୁଅ (୧୪) ଓ ଅମିରଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ବାପା ଅମିରଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଅମିରଙ୍କ ମା’ ଜୟପୁର ଟାଉନ ଥାନାରେ ଶୁକ୍ରବାର ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୩୪୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଘଟଣାର ବ୍ୟବହୃତ ଛୁରିକୁ ଜବତ କରିଛି। ସମ୍ପୃକ୍ତ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଯାଇଥିବା ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ କହିଛନ୍ତି ।

Share