ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେ କରୋନା ସଂକ୍ରମିତ

ପାଟନା,୧୪।୪: କରୋନା କାଳରେ ସରକାର ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର ପାଟନାରେ। ସରକାରୀ ହସ୍ପିଟାଲର ଅବ୍ୟବସ୍ଥା ଯୋଗୁ ଅନେକ ରୋଗୀ ଚିକିତ୍ସା ଅଭାବରୁ ନିଜର ପ୍ରାଣ ହରାଉଛନ୍ତି। ରାଜ୍ୟରେ କରୋନା ସ୍ଥିତି ଏଭଳି ସଙ୍ଗୀନ ହୋଇଛି ଯେ ପାଟନାର ଏମ୍ସ, ପିଏମ୍‌ସିଏଚ୍‌, ଆଇଜିଆଇଏମ୍‌ଏସ୍‌ ଓ ଏନ୍‌ଏମ୍‌ସିଏଚ୍‌ ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟା ମଧ୍ୟ ଉପଲବ୍ଧ ନାହିଁ। ଫଳରେ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏହିକ୍ରମରେ ବୁଧବାର ଲଖିସରାୟରୁ ଜଣେ କରୋନା ସଂକ୍ରମିତଙ୍କ ଚିକିତ୍ସା ଅଭାବରୁ ଏନ୍‌ଏମ୍‌ସିଏଚ୍‌ ହସ୍ପିଟାଲରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଲଖିସରାୟରୁ ଜଣେ ଯୁବକ ନିଜ ପିତାଙ୍କ ଚିକିତ୍ସା ପାଇଁ ପାଟନା ଏମ୍ସକୁ ଆସିଥିଲେ। ହେଲେ ସେଠାରେ ଶଯ୍ୟା ଖାଲି ନ ଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଭର୍ତ୍ତି କରିବାକୁ ମନା କରିଦେଇଥିଲେ। ଏହାପରେ ସେ ଏନ୍‌ଏମ୍‌ସିଏଚ୍‌ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ବି ସମାନ ଅବସ୍ଥା। ହସ୍ପିଟାଲରେ ଶଯ୍ୟା ନ ଥିବାରୁ ଉକ୍ତ ସଂକ୍ରମିତଙ୍କୁ ଭର୍ତ୍ତି କରାଯାଇପାରି ନ ଥିଲା। ତେବେ ଦୀର୍ଘ ଦେଢ଼ ଘଣ୍ଟା କାଳ ଭୀଷଣ ଖରାରେ ସଂକ୍ରମିତ ବାପାଙ୍କୁ ଧରି ଯୁବକ ଜଣକ ହସ୍ପିଟାଲ ବାହାରେ ଠିଆ ହୋଇଥିଲେ। ଏହାପରେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି।

Share