ପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାଙ୍କ ଜୀବନ

ସମ୍ବଲପୁର/ପଡିଆବାହାଲ,୨୭ା୬(ପ୍ରମୋଦ ବହିଦାର/ରାଧାମୋହନର ଷଢ଼ଙ୍ଗୀ): ସମ୍ବଲପୁର ସଦର ଥାନା ଅଧୀନ ବୁଦେଲଛିଣ୍ଡା ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ପୁଅର ଠେଙ୍ଗାମାଡ଼ରେ ବାପା ରାମ ପ୍ରସାଦ ବାଗ୍‌ ଓରଫ ରାମିଆଁ(୬୦)ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ପୋଲିସ ଅଭିଯୁକ୍ତ ପୁଅ ଧୀରେନ ବାଗ(୩୫)ଙ୍କୁ ଗିରଫ କରିଛି।
ପ୍ରାପ୍ତ ଖବର ଅନୁସାରେ ଧାମା ଥାନା ଅନ୍ତର୍ଗତ କାଁକେରପାଲି ଗ୍ରାମର ମୂଳ ବାସୀନ୍ଦା ରାମ ପ୍ରସାଦ ବୁଦେଲଛିଣ୍ଡା ଗ୍ରାମରେ ଗତ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ପରିବାର ସହିତ ରହୁଥିଲେ। ସେ ଛେଳି ଚରାଇବା ସହିତ ମୂଲ ମଜୁରି କରି ଜୀବିକା ନିର୍ବାହ କରୁଥିଲେ। ବୁଧବାର ରାତିରେ କୌଣସି କଥାକୁ ନେଇ ବାପ ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଧୀରେନ ଏକ ଠେଙ୍ଗାରେ ରାମପ୍ରସାଦଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଗୁରବାର ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସଦର ଥାନା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ନେଇ ଥାନାରେ ଏକ ମାମଲା(୧୪୨/୨୦୨୪)ରୁଜୁ ହୋଇଛି। ଅଭିଯୁକ୍ତ୍‌ଙ୍କୁ ପୋଲିସ ଗିରଫ କରି କୋର୍ଟଚଲାଣ କରିଥିଲା। ଜାମିନ ନାମଞ୍ଜୁର ହେବରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, କିଛିବର୍ଷ ତଳେ ଧୀରେନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହା ପରଠାରୁ ବାପପୁଅଙ୍କ ମଧ୍ୟରେ କଳହ ଲାଗି ରହିଥିଲା। କିଛିଦିନ ତଳେ ଧୀରେନ୍‌ଙ୍କ ଠେଙ୍ଗାମାଡ଼ରେ ରାମପ୍ରସାଦଙ୍କ ଗୋଡ଼ଭାଙ୍ଗି ଯାଇଥିଲା। ବର୍ତ୍ତମାନ ଘରେ ରାମ ପ୍ରସାଦଙ୍କ ସ୍ତ୍ରୀ ଓ ଏକମାତ୍ର ନାତି ଘରେ ଅଛନ୍ତି।