ବେଲୁନ ବିକିବାକୁ ଯାଇ ଫେରିନି ପୁଅ

ପାପଡ଼ାହାଣ୍ଡି,୨୪।୪(ଡି.ଏନ୍‌.ଏ.):  ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅଧୀନ ସାନବାର୍ଲି ଗ୍ରାମର ଜଣେ ନାବାଳକ ୩ ଦିନ ହେଲା ନିଖୋଜ ଅଛନ୍ତି। ଏ ନେଇ ମଇଦଲପୁର ଫାଣ୍ଡିରେ ବାପା ପରମାନନ୍ଦ ହରିଜନ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ପରମାନନ୍ଦଙ୍କ ସାନ ପୁଅ ଅର୍ଜୁନ(୧୬) ଗ୍ରାମର ଅନ୍ୟ ୩ ପୁଅଙ୍କ ସହ ବୁଧବାର ମଇଦଲପୁରଠାରେ ମାଁ ଠାକୁରାଣୀଙ୍କ କଳସ ଯାତ୍ରାରେ ବେଲୁନ ବିକ୍ରି କରିବାକୁ ଆସିଥିଲେ। ସାଙ୍ଗରେ ଯାଇଥିବା ୩ ବାଳକ ଗୁରୁବାର ଘରକୁ ଫେରିଥିଲେ ମଧ୍ୟ ଅର୍ଜୁନ ଫେରି ନ ଥିଲେ। ଘର ଲୋକେ ପଚାରିବାରୁ ସେ ବସ୍‌ରେ ଆସିବ ବୋଲି ସାଙ୍ଗମାନେ କହିଥିଲେ। ସନ୍ଧ୍ୟାପରେ ମଧ୍ୟ ପୁଅ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ ଶନିବାର ଅର୍ଜୁନଙ୍କ ମା’ ଏବଂ ବାପା ମଇଦଲପୁର ଫାଣ୍ଡିରେ ନିଖୋଜ ନେଇ ଏତଲା ଦେଇଛନ୍ତି। ପୁଅକୁ ଖୋଜିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ଡି ଦେବିକୁମାର ସୂଚନା ଦେଇଛନ୍ତି।