ମୁମ୍ବାଇ: କିଛି ବର୍ଷ ତଳେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଲୋକପ୍ରିୟ ଟିଭି ଧାରାବାହିକ ‘କୋନ୍ ବନେଗା କରୋଡ୍ପତି’ରେ ରାମାୟଣ ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତର ଦେଇ ନ ପାରି ଟ୍ରୋଲ୍ର ସମ୍ମୁଖୀନ ହୋଇଥିଲେ। ଶକ୍ତିମାନ ଭାବେ ଘରେ ଘରେ ପରିଚିତ ଲୋକପ୍ରିୟ ଅଭିନେତା ମୁକେଶ ଖାନ୍ନା ନିକଟରେ ଏକ ସାକ୍ଷାତ୍କାର ଦେଇ ସୋନାକ୍ଷୀଙ୍କୁ କଟାକ୍ଷ କରିଥିଲେ। ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଦ୍ୱାରା ଝିଅ ସୋନାକ୍ଷୀଙ୍କୁ ହିନ୍ଦୁଧର୍ମର ପ୍ରକୃତ ସଂସ୍କାର ମିଳିନାହିଁ ବୋଲି ମୁକେଶ କହିଥିଲେ। ମଙ୍ଗଳବାର ସୋନାକ୍ଷୀ ଏନେଇ ମୁକେଶଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ କରି ମୁକେଶଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ” ରାମାୟଣ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଭୁଲିଯିବା ତାଙ୍କର ଏକ ମାନବଗତ ତ୍ରୁଟି ଥିଲା। ସମୟ ସମୟରେ ପ୍ରତ୍ୟେକ ବ୍ୟକ୍ତି ଦ୍ୱାରା ସେପରି ତ୍ରୁଟି ହୋଇଯାଇଥାଏ। ଏତେ ବର୍ଷ ବିତିଯିବା ପରେ ଉକ୍ତ ଘଟଣାକୁ ମନେପକାଇବାର କୌଣସି କାରଣ ନାହିଁ। ରାମାୟଣରୁ ଆମେ ଜାଣିଛେ ଭଗବାନ ରାମ ସମସ୍ତଙ୍କୁ କ୍ଷମା ଦିଅନ୍ତି। ସେ ମନ୍ଥରା ଓ କୈକେଇଙ୍କୁ ମଧ୍ୟ କ୍ଷମା କରିଦେଇଥିଲେ। କିନ୍ତୁ ବୋଧହୁଏ ମୁକେଶ ଭଗବାନ ରାମଙ୍କଠାରୁ କିଛି ମଧ୍ୟ ଶିଖିବାକୁ ଚାହାନ୍ତି ନାହିଁ। ଅତ୍ୟନ୍ତ ଛୋଟ ଭୁଲ୍କୁ ଏତେ ବର୍ଷ ପରେ ମନେ ପକାଇ ସେ ଭଗବାନ ରାମଙ୍କୁ ଅସମ୍ମାନ କରିଛନ୍ତି। “ ସୋନାକ୍ଷୀ ମୁକେଶଙ୍କ ଉଦ୍ଦେଶ୍ୟରେ ଆହୁରି ଲେଖିଛନ୍ତି, ତାଙ୍କ କ୍ଷମାକୁ ସେ ଅନାଇ ବସି ନାହାନ୍ତି। କିନ୍ତୁ ଉକ୍ତ ଘଟଣାକୁ ସେ ଭୁଲିଯିବା ଆବଶ୍ୟକ। ବାପାଙ୍କଠାରୁ ସଂସ୍କାର ପାଇ ଏସବୁ କହିବାକୁ ସେ ସମର୍ଥ ହୋଇଛନ୍ତି। ସେ ଜଣେ ହିନ୍ଦୁ ଥିଲେ ଓ ସର୍ବଦା ହିନ୍ଦୁ ହୋଇ ରହିବେ। ଏଥିପାଇଁ ମୁକେଶଙ୍କ ସାର୍ଟିଫିକେଟ ଦରକାର ନାହିଁ ବୋଲି ସୋନାକ୍ଷୀ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଶତ୍ରୁଘ୍ନ ମଧ୍ୟ ମଙ୍ଗଳବାର ମୁକେଶଙ୍କୁ ସମାଲୋଚନା କରିଛନ୍ତି।