ସୋନମଙ୍କ ଘରୁ ଚୋରି କରିଥିଲେ ନର୍ସ; ଧିରେ ଧିରେ କରି ନେଇଯାଇଥିଲେ ଅଢ଼େଇ କୋଟି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଶାଶୁଘରୁ ଅଢ଼େଇ କୋଟି ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏବେ ଧରାପଡିଛନ୍ତି ଜଣେ ନର୍ସ। ପୋଲିସ ତାଙ୍କ ସହ ସ୍ବାମୀଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନରେଶ ଓ ଅପର୍ଣ୍ଣା। ଅପର୍ଣ୍ଣା ନର୍ସ ଭାବେ କାମ କରନ୍ତି।

କିଛି ଦିନ ତଳେ ସୋନମ ଏବଂ ସ୍ବାମୀ ଆନନ୍ଦ ଆହୁଜାଙ୍କ ଦିଲ୍ଲୀ ସ୍ଥିତ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ଘରୁ ଅଢ଼େଇ କୋଟି ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଦିଲ୍ଲୀ ପୋଲିସ ଛାନଭିନ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ସୋନମଙ୍କ ଜେଜି ଶାଶୁ ସାରଳା ଅହୁଜାଙ୍କ ବ୍ୟକ୍ତିଗତ ନର୍ସ ଥିବା ଅପର୍ଣ୍ଣା ହିଁ ଏହି ଚୋରି କରିଥିବା ଜଣାପଡିଛି।

ଅପର୍ଣ୍ଣାଙ୍କ ସ୍ବାମୀ ନରେଶ ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ରୂପେ କାମ କରନ୍ତି। ସୋନମଙ୍କ ଶାଶୁଘରକୁ ଅପର୍ଣ୍ଣା ଯିବା ଆସିବା କରୁଥିଲେ। ସୋନମଙ୍କ ଶାଶୁଙ୍କ ଦେଖାଶୁଣା କରୁଥିଲେ। ଏହାର ଫାଇଦା ନେଇ ସେ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଘରୁ ଧିରେ ଧିରେ ଚୋରି କରୁଥିଲେ। ମଙ୍ଗଳବାର ରାତିରେ ପୋଲିସର ଏକ ଟିମ୍‌ ସରିତା ବିହାରରେ ଚଢ଼ାଉ କରି ଅପର୍ଣ୍ଣା ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Share