Categories: ଖେଳ

ସୋନପୁରକୁ ମହାବୀର କପ୍‌

ଟାଙ୍ଗୀ, ୧ା୧ (ରଘୁନାଥ ସାହୁ): କୁହୁଡ଼ି ମହାବୀର ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଜନତା ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ମହାବୀର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋନପୁର ଫୁଟ୍‌ବଲ କ୍ଲବ ଚାମ୍ପିୟନ ହୋଇଛି। ରବିବାର ସମ୍ବଲପୁର ଫୁଟ୍‌ବଲ କ୍ଲବକୁ ୮-୭ ଟାଇବ୍ରେକର୍‌ରେ ଦଳ ହରାଇଥିଲା। ପ୍ରଥମାର୍ଦ୍ଧର ୨୪ ମିନିଟ୍‌ରେ ସୋନପୁର ଟିମ୍‌ର ଭାବଗ୍ରାହୀ ଗୋଟିଏ ଗୋଲ ଦେଇଥିଲେ। ଦ୍ୱିତୀୟାର୍ଦ୍ଧର ୭ ମିନିଟରେ ସମ୍ବଲପୁର ଟିମ୍‌ର ବିଜୁ ଓରାମ ଗୋଟିଏ ଗୋଲ ଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟ ଅମୀମାଂସିତ ରହିଥିଲା। ଫଳରେ ଟାଇବ୍ରେକରରେ ୮-୭ ଗୋଲରେ ସୋନପୁର ଟିମ୍‌ ବିଜୟୀ ହେବା ସହ ଚାମ୍ପିୟନ ହୋଇଥିଲା। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ରାଜ୍ୟ ସଭା ସଦସ୍ୟ ମୁନା ଖଁା, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ପୂର୍ବତନ ଏମ୍‌ପି ଡ.ପ୍ରସନ୍ନ ପାଟଶାଣୀ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଉଦୟନ ରାଉତରାୟ, ହରିଶ୍ଚନ୍ଦ୍ର ନାଇଡୁ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଟିମ୍‌କୁ ଟ୍ରଫି ସହ ୨୫ ହଜାର ଟଙ୍କା ଓ ରନରଅପ୍‌ ଟିମ୍‌କୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ସୁନୀଲ ମୁଣ୍ଡା, ଗଙ୍ଗା ଓରାମ, ବିଷ୍ଣୁ ଓରାମ, ବିଜୁ ଓରାମ, ଲକି ବୟ, ଭାବଗ୍ରାହୀ ପଢିହାରୀ, ଦୁବାଙ୍ଗଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳିଭାବେ ସମ୍ମାନିତ କରାଯାଇଥିଲା। ଆସୋସିଏଶନ ସମ୍ପାଦକ ମନୋଜ କୁମାର ମାନସିଂହ, ସହସମ୍ପାଦକ କମଳାକାନ୍ତ ସାମନ୍ତରାୟ, କେଦାରନାଥ ଦାସ, ବିପିନ କୁମାର ଜୟସିଂହ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Share