Categories: ଜାତୀୟ

ଗୀତିକାର ସାଜିଲେ ମୋଦି

ନୂଆଦିଲ୍ଲୀ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତିକାର ପାଲଟିଛନ୍ତି। ମୋଦି ଲେଖିଥିବା ଏକ ନୂଆ ‘ଗର୍ବା’ ଗୀତକୁ ଜଣାଶୁଣା କଣ୍ଠଶିଳ୍ପୀ ଧ୍ୱନି ଭାନୁଶାଳୀ ଗାଇଛନ୍ତି। ତନିଷ୍କ ବାଗ୍‌ଚୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଗୀତ ସହ ନୃତ୍ୟର ଭିଡିଓକୁ ଧ୍ୱନି ଏକ୍ସ’ରେ ଶେୟାର କରିବା ପରେ ସାମାଜିକ ଗଣମାଧ୍ୟମରେ ଏହା ବହୁଳ ପ୍ରସାରିତ ହୋଇଛି। ମୋଦି ଏହାକୁ ରିଟୁଇଟ୍‌ କରି ଧ୍ୱନି, ତନିଷ୍କ ଓ ସେମାନଙ୍କ ଟିମ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁ ବର୍ଷ ହେଲା ସେ ଗୀତ ଲେଖାଲେଖି କରୁ ନ ଥିଲେ। ହେଲେ ଗତ କିଛିଦିନ ଭିତରେ ସେ ଏହି ଗୀତ ରଚନା କରିପାରିଛନ୍ତି। ରବିବାରଠାରୁ ନବରାତ୍ରୀ ଉତ୍ସବ ଆରମ୍ଭ ହେଉଛି। ଏହି ସମୟରେ ଗୁଜରାଟୀ ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ବତନ୍ତ୍ର ଡ୍ୟାନ୍ସ ‘ଗର୍ବା’ ପ୍ରଦର୍ଶିତ ହୋଇଥାଏ। ଏହି ଉପଲକ୍ଷେ ମୋଦିଙ୍କ ଲିଖିତ ଗର୍ବା ଗୀତକୁ ଧ୍ୱନି ଓ ତନିଷ୍କ ଏକ ନୂଆ ସ୍ବରରେ ସଜାଇଛନ୍ତି। ଜଷ୍ଟ ମ୍ୟୁଜିକ୍‌ ଏହି ସଙ୍ଗୀତ ଓ ଭିଡିଓକୁ ପ୍ରସ୍ତୁତ କରିଛି।

Share