Categories: ଜାତୀୟ

ଡିଜିଟାଲ ସଦସ୍ୟ ହେଲେ ସୋନିଆ

ନୂଆଦିଲ୍ଲୀ,୧୬।୪: କଂଗ୍ରେସ ଦଳରେ ସାଂଗଠନିକ ନିର୍ବାଚନ ପୂର୍ବରୁ ସଭ୍ୟ ପଞ୍ଜୀକରଣ ଅଭିଯାନର ଶେଷ ଦିନରେ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତା ଡିଜିଟାଲ ସଦସ୍ୟ ହୋଇଛନ୍ତି। ଶୁକ୍ରବାର ସୁଦ୍ଧା ୨.୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରାଇଥିବାବେଳେ ଅନ୍ୟ ୩ କୋଟି ଅଫ୍‌ଲାଇନରେ ଏହି ପ୍ରକ୍ରିୟା ଶେଷ କରିଛନ୍ତି। ଦଳର ୧୩୭ ବର୍ଷର ଇତିହାସରେ ଏଭଳି ପଞ୍ଜୀକରଣ ପ୍ରଥମ। ବିଭିନ୍ନ ରାଜ୍ୟ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସଂଗଠନର ସବୁ ସ୍ତରରେ ନେତୃତ୍ୱ ପରିବର୍ତ୍ତନ ଲାଗି ଦାବି ହୋଇଥିଲା। ଦଳର ନିର୍ବାଚନ ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ନେତାମାନେ ପ୍ରଶ୍ନ ଉଠାଇଥିଲେ। ଅଧିକାଂଶ ଦଳୀୟ ସଦସ୍ୟ ଜାଲ୍‌ ବୋଲି ଅଭିଯୋଗ ହୋଇଥିଲା। ଫଳରେ କଂଗ୍ରେସ ଏକ ସଦସ୍ୟତା ଆପ୍‌ ଆରମ୍ଭ କରିଛି ଯେଉଁଥିରେ ସମସ୍ତ ନେତା ଓ ନିର୍ଦ୍ଦିଷ୍ଟ କର୍ମୀ ନିଜକୁ ପଞ୍ଜୀକୃତ କରୁଛନ୍ତି।

Share