Categories: ଜାତୀୟ

କୃଷକଙ୍କ ଆଖିରୁ ରକ୍ତର ଲୁହ ବୁହାଉଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨।୧୦: ଶୁକ୍ରବାର ଗାନ୍ଧୀ ଜୟନ୍ତୀ ଅବସରରେ କୃଷକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେପଟେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଦେଇ ଚାଷୀଙ୍କ ଦାବିକୁ ଯଥାର୍ଥ ବୋଲି କହି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋନିଆ ଅଭିଯୋଗ କରିଛନ୍ତି ଯେ ମୋଦି ସରକାର କୃଷକଙ୍କ ଆଖିରୁ ରକ୍ତର ଲୁହ ବୁହାଉଛନ୍ତି। କୃଷକଙ୍କୁ କିଏ ସୁରକ୍ଷା ଦେବ, ସରକାର ଏ ବିଷୟରେ ଚିନ୍ତା କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସୋନିଆ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଆଜି କୃଷକ ଓ ଶ୍ରମିକଙ୍କ ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ଗାନ୍ଧିଜୀ କହିଥଲେ ଯେ ଭାରତର ଆତ୍ମା ଭାରତର ଗ୍ରାମ, କ୍ଷେତରେ ଥାଏ। ଆଜି ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ଯିଏ ‘ଜୟ-ଯବାନ, ଜୟ କିଷାନ’ ସ୍ଲୋଗାନ ଦେଇଥିଲେ। କିନ୍ତୁ ଆଜି ଦେଶର କୃଷକ ଏବଂ କୃଷି ଶ୍ରମିକମାନେ କୃଷି ବିରୋଧୀ ତିନୋଟି ଆଇନ ବିରୁଦ୍ଧରେ ରାସ୍ତାରେ ଆନ୍ଦୋଳନ କରୁଛନ୍ତି। ଝାଳ ବୁହାଇ ଶସ୍ୟ ଉତ୍ପାଦଳ କରୁଥିବା ଚାଷୀଙ୍କ ଆଖିରୁ ରକ୍ତର ଲୁହ ବୁହାଉଛନ୍ତି ମୋଦି ସରକାର ବୋଲି ସୋନିଆ କହିଛନ୍ତି।

Share