Categories: ଜାତୀୟ

ଜରୁରୀ ବୈଠକ ଡକାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୬।୪: କଂଗ୍ରେସକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶନିବାର ମଧ୍ୟାହ୍ନରେ ଦଳର ଏକ ଜରୁରୀ ବୈଠକ ଡକାଇଥିଲେ। ଦିଲ୍ଲୀର ଜନପଥ ୧୦ ସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନରେ ଘରେ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ସଭାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେଇ ନ ଥିଲେ। ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ମଲ୍ଲିକାର୍ଜୁନ ଖର୍ଗେ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଜୟରାମ ରମେଶ, ମୁକୁଲ ୱାସନିକ, ଦିଗବିଜୟ ସିଂହ ଓ ଅଜୟ ମାକେନଙ୍କ ଭଳି ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। ସବୁଠାରୁ ବିଶେଷ କଥା ହେଉଛି ଏହି ବୈଠକରେ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଡକାଯାଇଥିଲା। କୁହାଯାଉଛି, ଦଳର ହଜିଯାଇଥିବା ସମର୍ଥନ ଆଧାରକୁ ପୁନର୍ଜୀବିତ କରିବା ଏବଂ ଦଳକୁ ମଜବୁତ କରିବା ପାଇଁ ଏହି ଜରୁରୀ ବୈଠକ ଡକାଯାଇଛି। ଏହି କାରଣରୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଡକାଯାଇଛି। ତେବେ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ହେଉଛି। ସୂଚନା ମୁତାବକ ଖୁବ୍‌ଶୀଘ୍ର ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ଉପରେ କଂଗ୍ରେସର ନଜର ରହିଛି। ଦଳ ନିଜକୁ ମଜବୁତ କରାଯିବା ସହ ଏଠାରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି କଂଗ୍ରେସ। ଏତଦ୍‌ବ୍ୟତୀତ ଦଳ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିବାକୁ ଚାହୁଁଛି, ଯାହା ଦ୍ୱାରା ଭାଜପାକୁ କଡା ଟକ୍କର ଦେଇପାରିବ। ଅନ୍ୟପଟେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଖୁବ୍‌ଶୀଘ୍ର ତାଙ୍କୁ ଦଳର ସଦସ୍ୟତା ଦିଆଯାଇପାରେ।

Share