Categories: ଜାତୀୟ

ପ୍ରଣବ ମୁଖାର୍ଜୀ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ, ମନା କରିଥିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଉଦାହରଣ। ତାଙ୍କ ରାଜନୈତିକ ଜୀବନ କାହାଣୀ ସହ ବଳିଷ୍ଠ ବ୍ୟକ୍ତିତ୍ୱ ଉପରେ ଏକ ବହି ଲେଖିଛନ୍ତି ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ତାଙ୍କ ବହିର ଗୋଟିଏ ଅଧ୍ୟାୟରେ ଶର୍ମିଷ୍ଠା କହିଛନ୍ତି, ମୁଁ ୨୦୦୪ରେ ବାପାଙ୍କୁ ପ୍ରଧାନମନ୍ତ୍ରୀ ହେବା ସମ୍ପର୍କରେ ପଚାରିଥିଲି। ଯେଉଁଥିରେ ସେ ସୋନିଆ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରି କହିଥିଲେ, ସେ ମୋତେ ପ୍ରଧାନମନ୍ତ୍ରୀ କରିବାକୁ ଇଚ୍ଛୁକ ନୁହନ୍ତି। ଶର୍ମିଷ୍ଠା ନିଜ ପୁସ୍ତକ ‘ଇନ ପ୍ରଣବ, ମାଇ ଫାଦର: ଏ ଡଟର ରିମେମ୍ବର୍ସ’ରେ ପ୍ରଧାନମନ୍ତ୍ରୀ ପଦ ଦୌଡରୁ ହଟିବା ପାଇଁ ସୋନିଆଙ୍କ ନିଷ୍ପତ୍ତିରେ ପ୍ରଣବଙ୍କ ପ୍ରତିକ୍ରିୟା ବିଷୟରେ ଉଲ୍ଲେଖ କରିଛନ୍ତି।

ପୂର୍ବ କଂଗ୍ରେସ ପ୍ରବକ୍ତା ଶର୍ମିଷ୍ଠା ନିଜ ବାପାଙ୍କ ରାଜନୈତିକ ଜୀବନ ବିଷୟରେ ବହିରେ ଉଲ୍ଲେଖ କରିଛନ୍ତି। ସେ ବହିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନ ହେବାରୁ ସୋନିଆଙ୍କ ପ୍ରତି ତାଙ୍କର କୌଣସି ବିଦ୍ୱେଷ ନ ଥିଲା। ଏପରି କି ମନମୋହନ ସିଂହଙ୍କ ବିରୋଧରେ ମଧ୍ୟ ତାଙ୍କର କୌଣସି ରାଗ ନ ଥିଲା।

୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ବହୁମତରେ ବିଜୟ ହାସଲ କରିଥିଲା। ସେ ସମୟରେ ସୋନିଆ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ଆଶା କରାଯାଉଥିଲା। ଏହାକୁ ନେଇ ‘ଦି ପିଏମ ଇଣ୍ଡିଆ ନେଭର ହେଡ’ ଶୀର୍ଷକ ଅଧ୍ୟାୟରେ ଶର୍ମିଷ୍ଠା କହିଛନ୍ତି, ପ୍ରଧାନମନ୍ତ୍ରୀ ଦୌଡରୁ ସୋନିଆ ଓହରିବା ପରେ ଗଣମାଧ୍ୟମ ଓ ରାଜନୈତିକ କ୍ଷେତ୍ରରେ ତୀବ୍ର ଅଟକଳ ଲାଗି ରହିଲା। ଏହି ପଦ ପାଇଁ ଶୀର୍ଷ ନେତା ଭାବରେ ଡ. ମନମୋହନ ସିଂହ ଓ ପ୍ରଣବ ମୁଖାର୍ଜୀଙ୍କ ନାଁ ଉପରେ ଚର୍ଚ୍ଚା ଲାଗି ରହିଲା। ଏହି ସମୟରେ ତାଙ୍କ ସହ ଫୋନ ଦ୍ୱାରା କଥା ହୋଇଥିଲି। ମୁଁ ତାଙ୍କୁ ଉତ୍ସାହର ସହ ପ୍ରଶ୍ନ କରିଥିଲି, ଆପଣ ପିଏମ ହେବାକୁ ଯାଉଛନ୍ତି। ଏହାର ଉତ୍ତରରେ ସେ କହିଥିଲେ, ନା, ସେ ମୋତେ ପ୍ରଧାନମନ୍ତ୍ରୀ କରିବେ ନାହିଁ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବେ।

ଆଗକୁ ଶର୍ମିଷ୍ଠା ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନ ହେବା କାରଣରୁ ବାପାଙ୍କ ମନରେ କୌଣସି ଦୁଖ ନ ଥିଲା। ସେ ଏକ ସାକ୍ଷାତକାରରେ ଜଣେ ସାମ୍ବାଦିକଙ୍କୁ କହିଥିଲେ, ମୁଁ କୌଣସି ଆଶା ରଖିନି କି ସୋନିଆଜୀ ମୋତେ ପ୍ରଧାନମନ୍ତ୍ରୀ କରିବେ।

ଶର୍ମିଷ୍ଠା ଆହୁରି କହିଛନ୍ତି, ୟୁପିଏ-୧ ସମୟରେ ଯେତେବେଳେ ବି ବାପାଙ୍କୁ ପିଏମ ହେବା ସମ୍ପର୍କରେ ପଚାରେ ତାଙ୍କର ପ୍ରତିକ୍ରିୟାରେ ପିଏମ ହେବା ନେଇ ଦୃଢତା ଦେଖାଯାଉଥିଲା। ସେ କହୁଥିଲେ, ନିଶ୍ଚୟ ଭାବରେ ମୁଁ ପିଏମ ହେବାକୁ ଚାହିଁବି।

Share