ନୂଆଦିଲ୍ଲୀ,୧୮।୫: ଦୀର୍ଘ ଆଲୋଚନା ଏବଂ ବିଚାର ବିମର୍ଶ ପରେ କର୍ନାଟକ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦକୁ ସ୍ବୀକାର କରିଥିବା ସୂଚନା ମିଳିଛି। ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇଥିବା ଦଳ କହିଛି। ଦଳର ସୂତ୍ରରୁ ପ୍ରକାଶ ଯେ ଦଳର ସର୍ବୋଚ୍ଚ ନେତୃତ୍ୱ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଚୟନ କରାଯାଇଥିବା ବେଳେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ଦିଆଯାଇଥିଲା।
ବୁଧବାର ସୋନିଆ ଗାନ୍ଧୀଙ୍କ ସହ ଶିବକୁମାରଙ୍କ ସହ କଥା ହେବା ପରେ ସେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହୋଇଛନ୍ତି। ହେଲେ ଶିବକୁମାର ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପଦବୀ ଦାବିରେ ଅଡି ବସିଥିଲେ। ବୁଧବାର ଉଭୟ ସିଦ୍ଦାରାମାୟା ଏବଂ ଶିବକୁମାର ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲଙ୍କୁ ଭେଟି ଆଲୋଚନା କରିଥିଲେ।