Categories: ଜାତୀୟ

ହିମାଚଳପ୍ରଦେଶ-ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ,୧୨।୭: ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗୁଜରାଟର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ତାଙ୍କ ସହିତ ଆଉ ୨ଜଣ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି। ସେଥିମଧ୍ୟରେ ଛତିଶଗଡ଼ର ମନ୍ତ୍ରୀ ଟିଏସ ସିଂ ଦେବ ଏବଂ ମହାରାଷ୍ଟ୍ରର ନେତା ମିଲିନ୍ଦ ଦଓ୍ବେଡାଙ୍କ ନାମ ରହିଛି। ସେହିପରି ହିମାଚଳ ପ୍ରଦେଶରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସହ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ପଞ୍ଜାବର ବରିଷ୍ଠ ନେତା ପ୍ରତାପ ସିଂ ବାଜୱାଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି। ସୂଚନାଯୋଗ୍ୟ, ଗତ ଗୁଜୁରାଟ ବିଧାନସଭା ନିର୍ବାଚନରେ ଗେହଲଟ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଆସନ୍ତା କିଛି ମାସ ମଧ୍ୟରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ବର୍ତ୍ତମାନ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଭାଜପା କ୍ଷମତାରେ ଅଛି। ଅନ୍ୟପଟେ ଉଭୟ ରାଜ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ ଲଗାତର ଭାବେ ପ୍ରଚାର ଚଳାଇଛି। ଏଭଳି ପରିସ୍ଥିତିରେ କଂଗ୍ରେସ ଆଗରେ ଏକ ବଡ଼ ଆହ୍ବାନ ସୃଷ୍ଟି ହୋଇଛି।

Share