Categories: ଜାତୀୟ

କର୍ନାଟକରୁ ରାଜ୍ୟ ସଭା ଯିବେ ସୋନିଆ ପ୍ରସ୍ତାବ ଦେଲେ ସିଦ୍ଦାରାମାୟା

ନୂଆଦିଲ୍ଲୀ,୨୧ା୭: କର୍ନାଟକରୁ ରାଜ୍ୟ ସଭାର ୪ ଆସନ ଆଗାମୀ ୮ ମାସରେ ଖାଲି ହେବାକୁ ଯାଉଥିବାବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉକ୍ତ ରାଜ୍ୟରୁ ପାର୍ଲାମେଣ୍ଟର ଉଚ୍ଚ ସଦନକୁ ନିର୍ବାଚିତ ହେବା ନେଇ ଚର୍ଚ୍ଚା ଜୋର ଧରିଛି। କର୍ନାଟକରୁ ରାଜ୍ୟ ସଭା ସଦସ୍ୟ ଥିବା ଜି.ସି. ଚନ୍ଦ୍ରଶେଖର, ସୟେଦ ନାସିର ହୁସେନ୍‌, ଡ. ଏଲ୍‌. ହନୁମନ୍ଥାୟା ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୨ରେ ଶେଷ ହେବାକୁ ଯାଉଛି। ରାଜ୍ୟର ବର୍ତ୍ତମାନର ବିଧାନସଭା ସ୍ଥିତି ଅନୁଯାୟୀ କଂଗ୍ରେସ ୩ ସଦସ୍ୟଙ୍କୁ ରାଜ୍ୟ ସଭା ପଠାଇପାରିବ। ନାସିର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘନିଷ୍ଠ ଏବଂ ଏଆଇସିସି କୋର୍ଡିନେଟର ଥିବାରୁ ସେ ଆଉ ୬ ବର୍ଷ ପାଇଁ ରାଜ୍ୟ ସଭା ଯାଇପାରନ୍ତି। ଏହା ବ୍ୟତୀତ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ତଥା ମୁଖପାତ୍ର ସୁପ୍ରିୟା ଶ୍ରୀନାଟେଙ୍କ ସହ ସୋନିଆ ଗାନ୍ଧୀ ରାଜ୍ୟ ସଭାକୁ ଯିବା ଚର୍ଚ୍ଚା ହେଉଛି। ନିକଟରେ ସୋନିଆ ବେଙ୍ଗାଲୁରୁ ଗସ୍ତରେ ଯାଇଥିବାବେଳେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ତାଙ୍କୁ ରାଜ୍ୟ ସଭା ଆସନ ପ୍ରସ୍ତାବ ଦେଇଥିଲେ। ଯଦିଓ ସୋନିଆ ଏନେଇ ମୁହଁ ଖୋଲିନାହାନ୍ତି, ତେବେ କେତେକ କାରଣକୁ ନେଇ ସେ ରାଜ୍ୟ ସଭା ଯିବା ସମ୍ଭାବନା ସମ୍ପର୍କରେ ସୂଚନା ମିଳିଛି। ପ୍ରଥମ କାରଣ ହେଲା ସୋନିଆ ରାଜ୍ୟ ସଭାକୁ ଗଲେ ସେ ୧୦ ଜନପଥ ବାସଭବନକୁ ନିଜ ହାତରେ ରଖିପାରିବେ। ୧୯୮୯ରେ ରାଜୀବ ଗାନ୍ଧୀ ବିରୋଧୀ ଦଳ ନେତା ଥିବା ସମୟରୁ ଉକ୍ତ ବାସଭବନରେ ସୋନିଆ ରହିଆସୁଛନ୍ତି। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସରକାରୀ ବାସଭବନରୁ ବାହାରିଯାଇଥିବାରୁ ୧୦ ଜନପଥ ବାସଭବନକୁ ରଖିବା ସୋନିଆଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ସୋନିଆ ୫ ଥର ଲୋକ ସଭାକୁ ନିର୍ବାଚିତ ହୋଇସାରିଲେଣି। ତେବେ ସ୍ବାସ୍ଥ୍ୟଗତ ଓ ଅନ୍ୟାନ୍ୟ କାରଣରୁ ସେ ୨୦୧୯ ପରେ ନିଜ ନିର୍ବାଚନ ମଣ୍ଡଳୀର ସେବା କରିପାରି ନାହାନ୍ତି। ପ୍ରିୟଙ୍କା ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ି ଜିତିଲେ ମଧ୍ୟ ପ୍ରଥମ ଥର ଏମ୍‌ପି ଭାବେ ତାଙ୍କୁ ୧୦ ଜନପଥ ବାସଭବନ ମିଳି ନ ପାରେ।

Share