Categories: ଜାତୀୟ

ଦ୍ୱିତୀୟଥର ପାଇଁ ଇଡିରେ ହାଜର ହେଲେ ସୋନିଆ

ନୂଆଦିଲ୍ଲୀ,୨୬।୭: ନ୍ୟାଶନାଲ୍‌ ହେରାଲଡ୍‌ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ତାଙ୍କ ସହ ଝିଅ ପ୍ରିୟଙ୍କା ଏବଂ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଯାଇଛନ୍ତି। ଏପଟେ ଏହାକୁ ବିରୋଧ କରି କଂଗ୍ରେସକର୍ମୀମାନେ ଇଡି ଅଫିସ୍‌ ବାହାରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସର ବିରୋଧକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ଶୃଙ୍ଖଳା ରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।
ସୋନିଆ ଗାନ୍ଧୀଙ୍କୁ ପଚରାଉଚୁରା ପ୍ରସଙ୍ଗରେ କଂଗ୍ରେସ ଏମ୍‌ପିମାନେ ମୋଦି ସରକାରଙ୍କ ବିରୋଧରେ ରାଜନୈତିକ ଏଜେଣ୍ଡା ପୂରଣ ପାଇଁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରିଥିବା ଅଭିଯୋଗ କରି ସଂସଦ ଭିତରେ ବିରୋଧ କରିଛନ୍ତି। ସୋମବାର ସାରେ ଏନେଇ କଂଗ୍ରେସ ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜନପଥ ନିକଟରେ ଥିବା କଂଗ୍ରେସ ମୁଖ୍ୟାଳୟରେ ବହୁ ସଂଖ୍ୟାରେ ଦଳର କର୍ମୀଙ୍କୁ ଏକାଠି ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ,ଜୁଲାଇ ୨୧ରେ, ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ସୋନିଆ ଗାନ୍ଧୀଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହି ମାମଲାରେ ଜୁନ ମାସରେ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୦ ଘଣ୍ଟା ପଚରାଉଚରା କରାଯାଇଥିଲା।

Share