Categories: ଜାତୀୟ

୪ ଘଣ୍ଟାର ବୈଠକ ପରେ ନିଷ୍ପତ୍ତି ହେଲା ସୋନିଆ ଧରିବେ ମଙ୍ଗ

ନୂଆଦିଲ୍ଲୀ,୧୩ା୩: ସଦ୍ୟ ଅନୁଷ୍ଠିତ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ନେତୃତ୍ୱ ପରିବର୍ତ୍ତନ କରିବାକୁ ଜୋର ଧରିଥିଲା। ଏହି ପରିପ୍ରେକ୍ଷୀରେ ରବିବାର କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ବସିଥିଲା। ବୈଠକରେ ଦଳର ନେତୃତ୍ୱ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ହେଲେ ୪ ଘଣ୍ଟାର ମାନସମନ୍ଥନ ପରେ ବୈଠକରେ ସର୍ବସମ୍ମତିକ୍ରମେ ଦଳର ଅଧ୍ୟକ୍ଷା ସୋନିଆଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରାଯାଇଥିଲା। ସୋନିଆ ହିଁ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ବୋଲି ନିଷ୍ପତ୍ତି ହୋଇଛି।

ସିଡବ୍ଲ୍ୟୁସି ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପଳ ଖବରଦାତାମାନଙ୍କୁ କହିଛନ୍ତି, ସୋନିଆ ଅଧ୍ୟକ୍ଷ ପଦରେ ରହିବେ। ଦଳୀୟ ସଙ୍ଗଠନକୁ ମଜଭୁତ କରି ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ସେ ତ୍ୱରିତ ପଦକ୍ଷେପ ନେବେ। ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପରେ କଂଗ୍ରେସର ଚିନ୍ତନ ଶିବିର ଆରମ୍ଭ ହେବ। ଏହା ପୂର୍ବରୁ ପୁଣିଥରେ ସିବ୍ଲ୍ୟୁସି ବୈଠକ ବସିବ। ବୈଠକରେ ନେତାମାନଙ୍କ ମତାମତକୁ ସୋନିଆ ଶୁଣିଛନ୍ତି। ଯାହା ଜରୁରୀ ପଦକ୍ଷେପ ଆବଶ୍ୟକ ସେସବୁ ନେବା ପାଇଁ ସେ ସମ୍ମତି ପ୍ରକାଶ କରିଛନ୍ତି। ସିଡବ୍ଲ୍ୟୁସିର ପ୍ରତ୍ୟେକ ସଦସ୍ୟ ସୋନିଆଙ୍କ ମାର୍ଗଦର୍ଶନରେ କାମ କରିବାକୁ ଆଗ୍ରହୀ ଥିବା ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା କହିଛନ୍ତି।

ବରିଷ୍ଠ ନେତା ଗୁଲାମନବୀ ଆଜାଦ୍‌ଙ୍କ ବାସଭବନରେ ଶୁକ୍ରବାର ଅସନ୍ତୁଷ୍ଟ ନେତାମାନଙ୍କ ବୈଠକ ବସିଥିଲା। ୫ ରାଜ୍ୟରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯାଉ ବୋଲି ଏହି ବୈଠକରେ ଦାବି କରାଯାଇଥିଲା।

Share