Categories: ଜାତୀୟ

ବିରୋଧୀଙ୍କୁ ଏକଜୁଟ କରିବା ପାଇଁ କଂଗ୍ରେସର ନୂଆ ଅଭିଯାନ: ଆସନ୍ତା ୨୦ରେ ବୈଠକ ଡକାଇଲେ ସୋନିଆ

ନୂଆଦିଲ୍ଲୀ,୧୩।୮: ଭାଜପା ସରକାର ବିରୋଧରେ ବିରୋଧୀ ଦଳ ଲଗାତର ଭାବେ ଏକଜୁଟ ହେଉଥିବାର ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳକୁ ଏକଜୁଟ କରିବା ପାଇଁ ବିଭିନ୍ନ ଦଳକୁ ସକାଳ ଜଳଖିଆରେ ନିମନ୍ତ୍ରଣ କରିଥିଲେ। ଏଥିରେ ସରକାରଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରାଯିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଭାଜପାକୁ ପାର୍ଲାମେଣ୍ଟରେ ଘେରିିଥିଲେ ବିରୋଧୀ ଦଳ। ଇତିମଧ୍ୟରେ ପୁଣି ଥରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସରକାରଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ଅଗଷ୍ଟ ୨୦ରେ ସୋନିଆ ଗାନ୍ଧୀ ଏକ ଭର୍ଚୁଆଲ ବୈଠକ ଡକାଇଛନ୍ତି। ଏଥିରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାମିଲ ହୋଇପାରନ୍ତି। ଅନ୍ୟପଟେ ସୋନିଆ ଗାନ୍ଧୀଙ୍କ ପକ୍ଷରୁ ଏହି ବୈଠକ ଏଭଳି ସମୟରେ ଡକାଯାଇଛି, ଯେତେବେଳେ ଭାଜପା ବିରୋଧରେ ବିରୋଧୀଙ୍କୁ ଏକଜୁଟ ହେବା ପାଇଁ କଂଗ୍ରେସ ପକ୍ଷରୁ ଆହ୍ବାନ ଦିଆଯାଇଛି।

Share