ନୂଆଦିଲ୍ଲୀ,୨୦ା୫: କୋଭିଡ୍-୧୯ ମହାମାରୀରେ ମା’ବାପାଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାବି କରିଛନ୍ତି।
ମୋଦିଙ୍କୁ ପଠାଇଥିବା ପତ୍ରରେ ସୋନିଆ ଲେଖିଛନ୍ତି, ମା’ବାପାଙ୍କୁ ହରାଇ ଦୁଃଖରେ ଥିବା ପିଲାଙ୍କ ଭବିଷ୍ୟତ ଭଲ ହେଉ ବୋଲି ଦେଶ ଚାହେଁ। ତେଣୁ ମା’ ଓ ବାପାଙ୍କୁ ହରାଇଥିବା ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉ। ଏହି ଅବସରରେ ସୋନିଆ ତାଙ୍କ ସ୍ବର୍ଗତ ସ୍ବାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦ୍ୱାରା ଦେଶରେ ନବୋଦୟ ସ୍କୁଲ ପ୍ରତିଷ୍ଠା ହୋଇଥିବା ବିଷୟ ସ୍ମରଣ କରିଛନ୍ତି। ବର୍ତ୍ତମାନ ଦେଶରେ ୬୬୧ ନବୋଦୟ ବିଦ୍ୟାଳୟ ରହିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସୋନିଆଙ୍କ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଚିଠିକୁ ଟୁଇଟରରେ ଶେୟାର କରିଛନ୍ତି। କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ଗମ୍ଭୀରତା ସହ ବିଚାର କରିବା ଉଚିତ ବୋଲି ରାହୁଲ ଲେଖିଛନ୍ତି।