ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର ଜିଲାରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନଂ. ୧୪୨୧୮-ଆର,ତା ୨୭.୩.୧୯୯୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ଗତ ୨୦୦୪ ମସିହା ଅକ୍ଟୋବର ୧୯ ତାରିଖ ଦିନ ଏ ସଂକ୍ରାନ୍ତରେ ବିଧିବଦ୍ଧ ସରକାରୀ ଗେଜେଟ୍‌ ପ୍ରକାଶ ପାଇସାରିଛି। ଏହି ଗେଜେଟ ବିଜ୍ଞପ୍ତି ଅନୁସାରେ ସୋନପୁରକୁ ଏକ ସ୍ବତନ୍ତ୍ର ଜିଲା ସାଙ୍ଗକୁ ସୋନପୁର ସହରର ନାମକୁ ସୁବର୍ଣ୍ଣପୁର ରଖାଯାଇଛି। ତେବେ ଏହି ବିଜ୍ଞପ୍ତି ପ୍ରକାଶ ଦିନ ଠାରୁ ଏହାକୁ ସୁବର୍ଣ୍ଣପୁର ଜିଲା ଓ ଏହି ସହରକୁ ସୁବର୍ଣ୍ଣପୁର ସହର ଭାବେ ନାମିତ କରିବାକୁ ଉକ୍ତ ଗେଜେଟ୍‌ରେ ଦର୍ଶାଯାଇଛି। ଏପରି କି ଏ ସଂକ୍ରାନ୍ତରେ ପୂର୍ବରୁ ହୋଇଥିବା ବିଜ୍ଞପ୍ତିକୁ ପରିବର୍ତ୍ତନ କରିବାକୁ ଓଡିଶାର ରାଜ୍ୟପାଳଙ୍କ ଆଦେଶକ୍ରମେ ରାଜ୍ୟ ସରକାରଙ୍କ ତତ୍କାଳୀନ ପ୍ରମୁଖ ଶାସନ ସଚିବ ତରୁଣକାନ୍ତି ମିଶ୍ର ନିର୍ଦ୍ଦେଶ ଦେଇ ସାରିଛନ୍ତି। ହେଲେ ବିଜ୍ଞପ୍ତି ପ୍ରକାଶ ପାଇବାର ଇତିମଧ୍ୟରେ ଦୀର୍ଘ ୧୯ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସୋନପୁର ସହରର ନାମ ପରିବର୍ତ୍ତନ ହୋଇପାରି ନଥିବା ଦେଖାଯାଇଛି। ଅନେକ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଜିଲା ଓ ସହର ସୋନପୁର ଲେଖାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଜିଲା ସଦର ମହକୁମାରେ ଥିବା ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଅଧୀନସ୍ଥ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ସୋନପୁର ରେଳ ଷ୍ଟେଶନ, ବ୍ଲକ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟାଳୟ, ଅବକାରୀ ବିଭାଗ, ବନ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କାର୍ଯ୍ୟାଳୟ, ଜିଲା ନ୍ୟାୟାଳୟ, ନୂତନ ଟାଉନ ହଲ, କୃଷି ବିଜ୍ଞାନ କେନ୍ଦ୍ର, ଡାକ ଘର, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଆଦିରେ ଲେଖା ଯାଇଥିବା ନାମ ଫଳକରେ ପୂର୍ବଭଳି ସୋନପୁର ଲେଖାଯାଇଛି। କେବଳ ଏତିକି ନୁହେଁ ଅନେକ ସରକାରୀ ଓ ବେସରକାରୀ ବ୍ୟାଙ୍କ ଏବଂ ସହରର ମଝିପଡା ସ୍ଥିତ ମୁଖ୍ୟ ଡାକଘର ସମ୍ମୁଖରେ ସୋନପୁର ଲେଖାଯାଇଛି। ରାଜ୍ୟ ସରକାର ଏହି ଜିଲା ଓ ସହରର ନାମ ସୁବର୍ଣ୍ଣପୁର ରଖିଥିବା ସତ୍ତ୍ୱେ ସରକାରୀ ଓ୍ବେବ୍‌ ସାଇଟ୍‌ର ଅନେକ ସ୍ଥାନରେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲାର ନାମ ପରିବର୍ତ୍ତନ ନ ହେବା ଫଳରେ ଜିଲା ତଥା ସହରର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ସୋନପୁରର ନାମକୁ ସୁବର୍ଣ୍ଣପୁରରେ ପରିଣତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Share