ସାପକାମୁଡ଼ାରେ ଜୁଆଙ୍ଗ ଶିଶୁ ମୃତ, ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଅଟୋରେ ନେଲେ ପୁଅର ମୃତଦେହ

କେନ୍ଦୁଝର,୨୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସାପକାମୁଡ଼ାରେ ମୃତ ପୁଅର ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ତାଙ୍କ ଗରିବ ଅସହାୟ ବାପା କିଭଳି ଏକ ଅଟୋରେ ଘରକୁ ନେବାକୁ ବାଧ୍ୟ ହୋଇଛନ୍ତି ସେଭଳି ଫଟୋ ଜିଲାରେ ସ୍ବାସ୍ଥ୍ୟ ବିଭାଗର ଅପରିଣାମଦର୍ଶିତାକୁ ପଦାରେ ପକାଇଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉ ନ ଥିବାରୁ ଅନେକ ସମୟରେ ଗରିବ ଲୋକମାନେ ଭଡ଼ା ଗାଡ଼ି କରି ବହୁ ଖର୍ଚ୍ଚାନ୍ତ ହୋଇ ନେଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି

ସୂଚନାଯୋଗ୍ୟ, ବାଂଶପାଳ ବ୍ଲକ ଅନ୍ତର୍ଗତ ତଳସୁମଠ ଗ୍ରାମର ଭୀମସେନ ଜୁଆଙ୍ଗଙ୍କ ପୁଅ ଗଣେଶ୍ୱର(୧୨) ଶନିବାର ବିଳମ୍ବିତ ରାତିରେ ମା’ ବାସନ୍ତୀ ସହିତ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିଥିଲା। ବିଷାକ୍ତ ସାପ କାମୁଡିବା ଜାଣିବା ପରେ ଗଣେଶ୍ୱର ମା’ଙ୍କୁ କହିଥିଲେ। ଆମ୍ବୁଲାନ୍ସ ନ ମିଳିବାରୁ ନିକଟସ୍ଥ ନଇଗୁଡା ୍‌ଗ୍ରାମରୁ ୫ ଶହ ଟଙ୍କା କଥାବାର୍ତ୍ତା କରି ଏକ ଅଟୋରେ ପୁଅକୁ ରବିବାର ସକାଳେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଆଜି ସକାଳ ୮ଟା ୩୫ରେ ଚିକତ୍ସାଧୀନ ଅବସ୍ଥାରେ ଗଣେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଟାଉନ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବ୍ୟବଚ୍ଛେଦ ପରେ ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ା ଭୀମସେନଙ୍କ ୩ ଝିଅରେ ଏକ ମାତ୍ର ପୁଅ ଥିଲେ। ପରିବାର ଲୋକ ଏକମାତ୍ର ପୁଅକୁ ହରାଇବା ପରେ ମର୍ମାହତ ହୋଇପଡିଥିବା ବେଳେ ମୃତଦେହ କିପରି ନେବେ ସେ ନେଇ ଚିନ୍ତାରେ ପଡ଼ିଥିଲେ। କେନ୍ଦୁଝର ଠାରୁ ତଳସୁମଠ ୩୦ କିଲୋମିଟର ଦୂର ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୃତଦେହକୁ ଘରକୁ ପଠାଇବା ପାଇଁ ବ୍ୟବସ୍ଥା ନ କରିବାରୁ ବାଧ୍ୟ ହୋଇ ଏକ ଅଟୋରେ ୧୧୦୦ ଟଙ୍କା ଭଡ଼ାରେ ଗରିବ ବାପା ପୁଅର ମୃତଦେହ ଗାଁକୁ ନେଇଥିଲେ। ଗାଁରେ ପୁଅର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Share