ପୁଅର ଶକ୍ତ ଚାପୁଡ଼ାରେ ଚାଲିଗଲା ମା’ଙ୍କ ଜୀବନ

ନବରଙ୍ଗପୁର,୧୯ା୩(ବି.ପ୍ର.): ନବରଙ୍ଗପୁର ସ୍ଥାନୀୟ ଦାରୁବନ୍ଧ ସାହି ପ୍ରତାପ ସାଗର (ପୋଖରୀ) ହୁଡ଼ାରେ ନବୀନ ଅମନାତ୍ୟ ଓ ତାଙ୍କ ମା’ ଜେମା ଅମନାତ୍ୟ (୮୦) ଏକ ଝୁପୁଡ଼ି ଘରେ ଦୀର୍ଘଦିନ ହେବ ରହି ଆସୁଥିଲେ। ସବୁବେଳେ ମଦ୍ୟପାନ କରି ମା’ଙ୍କ ସହିତ ଝଗଡ଼ା କରୁଥିଲେ ନବୀନ। ହୋଲି ଭଳି ଏକ ପବିତ୍ର ଦିନରେ ସେ ମା’ଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଅପରାହ୍ନରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅତିରିକ୍ତ ପୋଲିସ ପୋଲିସ ଇନ୍ସପେକ୍ଟର ରାମେଶ୍ୱର ପ୍ରଧାନ, ଏସ୍‌ଆଇ ଦେବାଶିଷ ସାହୁ, ସବୀର ଅହମ୍ମଦ ଓ ଏଏସ୍‌ଆଇ ଗୁଣନିଧି ବାଘ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ନବୀନଙ୍କୁ ଥାନାରେ ଆଣି ଅଟକ ରଖିଛନ୍ତି। ଜେମାଙ୍କ ଝିଅ ହେମଲତା ଗାଦବା, ନାତି ରାଜ ଅମନାତ୍ୟ ଥାନାକୁ ଆଣି ପୋଲିସ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରୁଛି ।

ସ୍ଥାନୀୟ ମହିଳା ସୁମିତ୍ରା ମାଝିଙ୍କ କହିବାନୁଯାୟୀ, ପୁଅ ନବୀନ ସବୁବେଳେ ମଦ୍ୟ ପାନ କରି ମାଆଙ୍କ ସହିତ ଝଗଡ଼ା କରି ମାରିଦେବି ବୋଲି କହୁଥାନ୍ତି। ଆଜି ହୋଲି ଖେଳିବାକୁ ଯାଇ ମଦ ପିଇ ଘରକୁ ଆସି କେତେବେଳେ ମାଆକୁ ମାରି ଦେଇଛନ୍ତି । ଆମେ ସାହି ବାସିନ୍ଦା ଜାଣିବାକୁ ପାଇଲୁ ଯେ, ପୁଅ ନବୀନ ମାଆକୁ ମାରି ଦେଇଛି। ଖବର ପାଇ ପୋଲିସ ପହଞ୍ଚିବା ପରେ ନବୀନଙ୍କୁ ଥାନାକୁ ନେଇଛି। ଘଟଣା ସମ୍ପର୍କରେ ପୁଅ ନବୀନଙ୍କୁ ପଚାରିବାରୁ, ମାଆକୁ ଗୋଟିଏ ଚାପୁଡ଼ା ମାରିଲି ତା’ ପରେ କ’ଣ ହେଲା ମୁଁ ଜାଣିନାହିଁ। ଏନେଇ ପୋଲିସ ଝିଅର ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରିଛି। ନାତି ରାଜ କହିଛନ୍ତି ଯେ, ଜେଜେମା ସହିତ ସେ ରହୁଥିଲେ। ବାପା ନବୀନ କେତେବେଳେ କେମିତି ଘରକୁ ଆସୁଥିଲେ। ସେ କେବେ କେଉଁଠି ରହୁଛନ୍ତି ତାହା ସେ ଜାଣନ୍ତି ନାହିଁ। ଆଜି ଜେଜେମାକୁ ମାରିଦେଇଛନ୍ତି। ଝିଅ ହେମଲତା କହିଛନ୍ତି ଯେ, ସେ ବିବାହ ପରେ ଗଡ଼ବାଗୁଡ଼ା ସାହିରେ ରହୁଛନ୍ତି। ପୋଲିସ ଓ ସାହିବାସିନ୍ଦା କହିବା ପରେ ମାଆର ମୃତ୍ୟୁ ଖବର ପାଇଲି। ଏନେଇ ଲିଖିତ ଅଭିଯୋଗ ଥାନାରେ କରିଛି।

Share