ସୁରଙ୍କ ପରିବାରକୁ ପୁତୁରାଙ୍କ ଟାର୍ଗେଟ

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ଜଟଣୀ ବିଧାନସଭା ଆସନକୁ ନେଇ ଏବେ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛି। ଏହି ଆସନରୁ ବିଧାୟକ ଥିବା କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଏହାରି ଭିତରେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ସୁର ଖୋଲାଖୋଲି ତାଙ୍କ ପୁଅ ପାଇଁ ପ୍ରଚାର କରୁଥିବାବେଳେ ଦଳ ପକ୍ଷରୁ ତାଙ୍କୁ ଦ୍ୱିତୀୟ ଥର ଲାଗି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପଟେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ସାନ ଭାଇ ବିଜେଡିରେ ମିଶିବା ଏବଂ ତାଙ୍କ ପାଇଁ ବାପା ପ୍ରଚାର କରିବା କଥାକୁ ପ୍ରତ୍ୟେକ ଦିନ ବିରୋଧ କରୁଥିବା ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ମିଳୁଛି। ଏହାସହ ସେ କଂଗ୍ରେସରୁ ନୁହେଁ, ବରଂ ସ୍ବାଧୀନ ଭାବେ ଜଟଣୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। କିନ୍ତୁ ଜଟଣୀର ସନ୍ତୋଷ ଜେନାଙ୍କୁ କଂଗ୍ରେସରେ ସାମିଲ କରିବା ଲାଗି ସୋମବାର ସିଦ୍ଧାର୍ଥ କଂଗ୍ରେସ ଭବନରେ ପହଞ୍ଚତ୍ବା ପରେ ଏହାକୁ ଦେଖି ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ସଂଗ୍ରାମଙ୍କ ଏଭଳି ପ୍ରତିବାଦ ପରେ ମିଶ୍ରଣ ପର୍ବ ବନ୍ଦ ରହିଥିଲା। ଏନେଇ ସଂଗ୍ରାମ ଗଣମାଧ୍ୟମକୁ କହିଛନ୍ତି ଯେ, ଜଟଣୀରେ କଂଗ୍ରେସକୁ ନଷ୍ଟ କରିବା ପାଇଁ ବାପ-ପୁଅଙ୍କ ନାଟକ ଚାଲିଛି। ଜାଗା ମାଫିଆ ଏମାନେ। ୧୯୯୫ ମସିହାରୁ ଖଟି ଆସୁଛୁ। ଯିଏ ସ୍ଥାନୀୟ ଅଞ୍ଚଳର ନେତୃତ୍ୱ ନେଉଥିଲେ ସେ ଲଢ଼ିବେନି ବୋଲି କହିଥିଲେ। ଏଥର ତାଙ୍କୁ ଲଢ଼ିବାକୁ ଛାଡ଼ିଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଜାଗା ବେପାରୀଙ୍କୁ ଆଣି ଏଠାରେ କଂଗ୍ରେସକୁ ନଷ୍ଟ କରିବାକୁ ଚେଷ୍ଟା ଚାଲିଛି। ସ୍ଥାନୀୟ ବିଧାୟକଙ୍କ ୩ ପ୍ରକାର କଥା। ସେ ଏସବୁ ଚକ୍ରାନ୍ତ କରିଛନ୍ତି। ଗତଥର କହିଲେ, ଦୁଇଟା ପୁଅ ଚାକିରୀ କରିଛନ୍ତି ଏଥର ମତେ ଜିତେଇଦେ ଆରଥର ତୁ ଲଢ଼ିବୁ ବୋଲି କହିଥିଲେ।
ଅନ୍ୟପଟେ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ନେଇ ସେ କହିଛନ୍ତି, ପାର୍କ ବୁଲିବାକୁ ଯାଇଥିଲେ। ସେତେବେଳେ ତାଙ୍କ ପୁଅ ପ୍ରଚାର କରୁଥିବା ଦେଖି ମନ୍ମଥକୁ ଭୋଟ୍‌ ଦେବାକୁ କହିଦେଲେ। ସେ କେଉଁ ଦଳ ପାଇଁ ପ୍ରଚାର କରିନାହାନ୍ତି। ତେବେ ସୁରଙ୍କ ଏଭଳି କାର୍ଯ୍ୟକ୍ରମ ଦେଖି କଂଗ୍ରେସ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। କେଉଁ ପରିସ୍ଥିତିରେ ଦଳ ସୁରଙ୍କୁ ଏଯାଏ ବରଦାସ୍ତ କରିଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି।

Share