ସୋନୁ ସୁଦ୍‌ ବଢ଼ାଇଲେ ସହାୟତାର ହାତ…

ମୁମ୍ବାଇ,୩।୩ : ସଙ୍କଟ ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଲୋକଙ୍କ ପାଖରେ ଠିଆ ହୋଇଥାନ୍ତି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ସମୟରେ ଭାରତୀୟଙ୍କୁ ଆବଶ୍ୟକ ସହାୟତା ସୋନୁ ଯୋଗାଇ ଦେଉଛନ୍ତି। ସୋନୁ ଏବଂ ତାଙ୍କ ଟିମ୍‌ ୟୁକ୍ରେନ୍‌ରେ ଥିବା ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆଇନଗତ ଏବଂ ମାନିବିକ ସହାୟତା ଯୋଗାଇ ଦେଉଛନ୍ତି।

ଏହାର କେତେକ ଭିଡ଼ିଓ ଏବେ ସୋନୁ ତାଙ୍କ ଟୁଇଟର ଆକାଉଣ୍ଟରେ ଅପଲୋଡ୍‌ କରିଛନ୍ତି।
ଏସବୁ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ୟୁକ୍ରେନରୁ ନିରାପଦରେ ଭାରତ ଫେରିଥିବା ଛାତ୍ରୀଛାତ୍ର ସୋନୁ ସୁଦ ଏବଂ ତାଙ୍କ ଦଳ କିପରି କଷ୍ଟଦାୟକ ସମୟରେ ସେଠାରେ ଉପସ୍ଥିତ ଛାତ୍ରମାନଙ୍କୁ ସାହାଯ୍ୟ କରିଥିଲେ ତାହା କହିଛନ୍ତି।

ଭିଡିଓରେ ଲକ୍ଷ୍ମଣ ନାମକ ଜଣେ ଛାତ୍ର କହିଛନ୍ତି ଯେ ଅସୁବିଧା ମଧ୍ୟରେ ସେ ସୋନୁ ସୁଦଙ୍କ ଦଳ ସହ ଯୋଗାଯୋଗ କରିଥିଲେ। ଏହି ସମୟ ମଧ୍ୟରେ, ତାଙ୍କ ଦଳ କେଉଁ ସୀମା ସୁରକ୍ଷିତ ତାହା ଗାଇଡ କରିଥିଲେ। ସୋନୁଙ୍କ ଦଳ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ସେ ନିରାପଦରେ ଦେଶକୁ ଫେରି ଆସିଥିବା କହିଛନ୍ତି।

Share