Advertisement

ପଦ୍ମ ପୁରସ୍କାରକୁ ନେଇ ସୋନୁ ଅସନ୍ତୁଷ୍ଟ

ମୁମ୍ବାଇ: ସାଧାରଣତନ୍ତ୍ର ଦିବସର ପୂର୍ବ ସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା। ତେବେ ଏହି ତାଲିକାକୁ ନେଇ ବିଶିଷ୍ଟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ସୋନୁ ନିଗମ ସୋମବାର ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ମେସେଜ୍‌ ଜାରି କରି ଅସନ୍ତୋଷ ପ୍ରକାଶ କରିଛନ୍ତି। କିଶୋର କୁମାର, ଅଲକା ୟାଗ୍ନିକ, ଶ୍ରେୟା ଘୋଷାଲ, ସୁନିଧି ଚୌହାନଙ୍କ ପରି ଅନେକ ଖ୍ୟାତନାମା ଭାରତୀୟ ସଙ୍ଗୀତଜ୍ଞଙ୍କୁ ଏବେ ମଧ୍ୟ ପଦ୍ମ ପୁରସ୍କାର ମିଳିନାହିଁ ବୋଲି ସେ କହିଛନ୍ତି। ସେହିପରି ପ୍ରଖ୍ୟାତ ସଙ୍ଗୀତଜ୍ଞ ମହମ୍ମଦ ରଫିଙ୍କୁ ଭାରତ ସରକାର କେବଳ ପଦ୍ମଶ୍ରୀ ସମ୍ମାନ ଦେଇ ବସିଯାଇଛନ୍ତି। ସୋନୁ ଆହୁରି କହିଛନ୍ତି, ଅଲ୍‌କାଙ୍କର ସଙ୍ଗୀତ ଜଗତରେ ଲମ୍ବା କ୍ୟାରିୟର ରହିଛି। ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ପକ୍ଷରୁ କୌଣସି ସମ୍ମାନ ମିଳିନାହିଁ। ସେହିପରି ଦୀର୍ଘବର୍ଷ ଧରି ଶ୍ରେୟା ମଧ୍ୟ ସଙ୍ଗୀତ କ୍ଷେତ୍ରରେ ନିଜ ଯୋଗ୍ୟତାକୁ ପ୍ରଦର୍ଶିତ କରିଛନ୍ତି। ସେ ମଧ୍ୟ ପଦ୍ମ ପୁରସ୍କାର ପାଇବାକୁ ଯୋଗ୍ୟ। ସେହିପରି ସୁନିଧି ନିଜ ସୁମଧୁର ସ୍ବରରେ ଅନେକ ଗୀତ ଗାଇ ବିଭିନ୍ନ ପିଢ଼ିର ଲୋକଙ୍କ ମନ ଜିଣିପାରିଛନ୍ତି। ତାଙ୍କୁ ମଧ୍ୟ ଏଯାଏ କିଛି ବି ସମ୍ମାନ ମିଳିନାହିଁ। ତେଣୁ ଭାରତ ସରକାର ସଙ୍ଗୀତଜ୍ଞମାନଙ୍କୁ ସେମାନଙ୍କର କଳା ଓ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ସମ୍ମାନିତ କରିବାର ଆବଶ୍ୟକତା ରହିଛି, ଯାହାଫଳରେ ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟ କରିବାକୁ ନୂତନ ଯୁବପିଢ଼ି ମଧ୍ୟ ପ୍ରେରଣା ପାଇପାରିବେ। ୨୦୨୨ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସୋନୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share