ଚାମୋଲି ହିମସ୍ଖଳନ: ୪ ଅନାଥ କନ୍ୟାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବେ ସୋନୁ

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଅଭିନୟ ବ୍ୟତୀତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି । ଏବେ ସେ ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି । କରୋନା ମହାମାରୀ ଲକ୍ ଡାଉନ ପରଠାରୁ ସେ ଗରିବଙ୍କ ପାଇଁ ଆଗେଇ ଆସି ଉଦାହରଣ ପାଲଟି ଯାଇଛନ୍ତି । ନିକଟରେ ଉତ୍ତରାଖଣ୍ଡର ଚାମୋଲିରେ ହିମସ୍ଖଳନରେ ମୃତ୍ୟୁ ହୋଇଥିବା ଗୋଟିଏ ପରିବାରର ୪ କନ୍ୟା ସନ୍ତାନଙ୍କୁ ସେ ପୋଷ୍ୟ ଭାବେ ଗ୍ରହଣ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଚାମୋଲି ହିମସ୍ଖଳନରେ ଟିହରି ଜିଲାର ଆଲମ ସିଂ ପଣ୍ଡିର ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ସେ ପେଶାରେ ଜଣେ ଇଲେକ୍ଟ୍ରିସିଆନ୍ ଥିଲେ । ସେ ଏକ ଟନେଲରେ କାମ କରୁଥିଲେ । ତେବେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବା ପରଠାରୁ ଏବେ ତାଙ୍କର ୪ ଝିଅ ଏକ ପ୍ରକାର ବେସାହାରା ହୋଇ ଯାଇଛନ୍ତି । ଏହା ଜାଣିବା ପରେ ସୋନୁ ଏବେ ଏହି ୪ କନ୍ୟାଙ୍କୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କର ପାଠପଢାଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ବୋଳି ତାଙ୍କ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ସୋନୁ ପୁଣିଥରେ ଗରିବଙ୍କ ଦେବଦୂତ ପାଲଟି ଯାଇଛନ୍ତି ବୋଲି ଆଲୋଚନା ହେଉଛି । ନିକଟରେ ଏକ ୱେବସାଇଟକୁ ଦେଇଥିବା ଏକ ସାକ୍ଷାତ୍ କାରରେ ସେ କହିଥିଲେ ଲୋକଙ୍କ ବିପଦ ସମୟରେ ସମସ୍ତେ ଏମିତି ଆଗେଇ ଆସିବା ଉଚିତ ।

Share