ଏମିତି ଟୁଇଟ୍‌ କରି ପୁଣି ଚର୍ଚ୍ଚାକୁ ଆସିଲେ ସୋନୁ ସୁଦ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିବା ସହିତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ସମୟରେ ପ୍ରବାସୀମାନଙ୍କୁ ଯାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିଲେ ସୋନୁ। ତାଙ୍କର ଏପରି ଜନହିତକର କାର୍ଯ୍ୟକୁ ନେଇ ଲୋକେ ବେଶ୍‌ ପ୍ରଶଂସା କରିବା ସହିତ ତାଙ୍କୁ ଭଲପାଇବା ଏବଂ ସମ୍ମାନ ଦେଇଚାଲିଛନ୍ତି। ଏପରିକି ଲୋକେ ତାଙ୍କୁ ଗରିବଙ୍କ ଭଗବାନ ଭାବି ପୂଜାର୍ଚ୍ଚନା କରୁଛନ୍ତି।

କେବଳ ଲକ୍‌ଡାଉନ୍‌ ସମୟରେ ସୋନୁ ଲୋକଙ୍କୁ ସହଯୋଗର ହାତ ବଢାଇ ଥିଲେ ତାହା ନୁହେଁ, ଏବେ ମଧ୍ୟ ସେ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି। ଟୁଇଟରରେ ଏବେବି ଅନେକ ଲୋକ ତାଙ୍କଠାରୁ ସହାୟତା ଲୋଡୁଛନ୍ତି। ସୋନୁ ମଧ୍ୟ ସଙ୍ଗେସଙ୍ଗେ ଲୋକମାନଙ୍କର ଅନୁରୋଧ ରକ୍ଷା କରିବା ସହିତ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତି।

ନିକଟରେ ସୋନୁଙ୍କର ଏକ ଟୁଇଟ୍‌ ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋନୁଙ୍କର ଜଣେ ପ୍ରଶଂସକ ଭଗବାନ ଶିବଙ୍କ ଫଟୋ ସହିତ ସୋନୁଙ୍କ ଫଟୋ ରଖି ପୂଜା କରୁଥିବାର ଭିଡିଓ ତାଙ୍କୁ ଟ୍ୟାଗ କରିଛନ୍ତି। ଏହି ଭିଡିଓ ଦେଖିବା ପରେ ସୋନୁ ଟୁଇଟ୍‌ କରି ଲେଖିଛନ୍ତି ‘ମୋର ସ୍ଥାନ ଏଠାରେ ନୁହେଁ, କେବଳ ଆପଣଙ୍କ ହୃଦୟରେ ହେବା ଦରକାର’।

Share