Advertisement

ବନ୍ୟା ପୀଡ଼ିତ ଛାତ୍ରୀଙ୍କ ଆଶା ସୋନୁ

କୋରୁକୋଣ୍ଡା,୨୨।୮(ଡି.ଏନ୍‌.ଏ.): ବନ୍ୟାରେ ଘରଦ୍ୱାର ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ ଜଣକ କାନ୍ଦୁଥିବାର ଏକ ଭିଡିଓ ଟୁଇଟରରେ ଦେଖିବା ପରେ ସହାୟତା ପାଇଁ ସୋନୁ ଆଗେଇ ଆସିଛନ୍ତି। ନୂଆ ବହି ଆସିବ ଏବଂ ଘର ବି ନୂଆ ତିଆରି ହେବ ବୋଲି ଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇ ପୁଣି ସମସ୍ତଙ୍କ ମନ ଛୁଇଁଛନ୍ତି ଏହି ଅଭିନେତା। ଛାତ୍ରୀ ଜଣକ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ବୋଲି ଜଣାପଡିଛି। ବର୍ଷା ବିତ୍ପାତ ଯୋଗୁ ଗତ ୧୫, ୧୬ ତାରିଖରେ ଆସିଥିବା ବନ୍ୟାରେ ବିଜାପୁର ଜିଲାର ଆଦିବାସୀ ଝିଅ ଅଞ୍ଜଳିଙ୍କ ଘର ଭାଙ୍ଗି ମାଟିରେ ମିଶିଛି। ମା’ ବାପାଙ୍କ ମୂଲ ମଜୁରୀ ଟଙ୍କାରେ ବହୁ କଷ୍ଟରେ ଯୋଗାଡ କରିଥିବା ତାଙ୍କ ବହିପତ୍ର ବି ଏଥିରୁ ବାଦ ପଡିନି। ବାଉଁଶ ଟୋକେଇରେ ସାଇତି ରଖିଥିବା ବହିଖାତା ବନ୍ୟାପାଣିରେ ଭିଜି ନଷ୍ଟ ହୋଇଛି। ଘର ଭାଙ୍ଗିବାଠାରୁ ବହି ନଷ୍ଟ ହେବା ଅଞ୍ଜଳିଙ୍କୁ ଅଧିକ ଦୁଃଖ ଦେଇଛି, ଯାହାକୁ ଦେଖି ସେ କଇଁକଇଁ ହୋଇ କାନ୍ଦୁଥିବାର ଭିଡିଓ ମୁକେଶ ଚନ୍ଦ୍ରକର୍‌ ନାମକ ଜଣେ ଯୁବକ ଟୁଇଟରରେ ଶେୟାର କରିଛନ୍ତି। ଜଣେ ଆଦିବାସୀ ଛାତ୍ରୀଙ୍କ ବହି ପ୍ରତି ପ୍ରଥମ ଥର ଏପରି ଭଲପାଇବା ଦେଖିଥିବା ଯୁବକ ଜଣକ ଲେଖିବା ସହ ଅଞ୍ଜଳିଙ୍କ ସମସ୍ୟା ମଧ୍ୟ ଉଲ୍ଲେଖ କରିଛନ୍ତି। ଭିଡିଓ ଦେଖିବା ପରେ ଏହାକୁ ରିଟୁଇଟ କରିଛନ୍ତି ସୋନୁ ସୁଦ୍‌। ସେଥିରେ ସୋନୁ ଲେଖିଛନ୍ତି, ଲୁହ ପୋଛ ଭଉଣୀ। ବହି ବି ନୂଆ ଆସିବ, ଘର ବି ନୂଆ ହେବ। ଲକଡାଉନ୍‌ ସମୟରେ ପ୍ରବାସୀଙ୍କୁ ସହାୟତା କରି ଚର୍ଚ୍ଚାକୁ ଆସିଥିବା ସୋନୁ ଏବେ ଏହି ଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ପୁଣି ଉଦାହରଣ ସୃଷ୍ଟି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share