ଖୁବ୍‌ଶୀଘ୍ର ଦେଶର ପ୍ରତିଟି ହିରୋଙ୍କ କାହାଣୀ କହିବେ ସୋନୁ

ମୁମ୍ବାଇ: ବଲିଉଡ୍ ନାୟକ ସୋନୁ ସୁଦ ଘରେ ଘରେ ବେଶ୍ ପରିଚିତ । ତାଙ୍କ ଅଭିନୟ ତାଙ୍କୁ ଯେତିକି ପରିଚୟ ଦେଇଥିଲା ତା’ଠାରୁ ଅଧିକ ପରିଚୟ ଦେଲା ତାଙ୍କ ମାନବିକତା । କରୋନା ମହାମାରୀ ସାଙ୍ଗକୁ ଦେଶରେ ଲକଡାଉନ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଗରିବଙ୍କ ପାଇଁ ଦେବଦୂତ ସାଜିଥିଲେ ବଲିଉଡର ଏହି ଅଭିନେତା ସୋନୁ ସୁଦ । ଏହାପରେ ସେ ଘରେ ଘରେ ଦେଶର କୋଣ ଅନୁକୋଣରେ ବେଶ ପରିଚିତ । ନିକଟରେ ଏକ ସାକ୍ଷାତ୍‌କାରରେ ସୋନୁ କହିଛନ୍ତି ଖୁବ୍‌ଶୀଘ୍ର ସେ ଦେଶର ପ୍ରତିଟି ହିରୋଙ୍କ କାହାଣୀ କହିବାକୁ ଯାଉଛନ୍ତି । ସେ ନ୍ୟାଶନାଲ ଜୋଗ୍ରାଫିକ ଚ୍ୟାନେଲରେ ଏମିତି ଏକ ଶୋ’ ନେଇ ଆସୁଛନ୍ତି ଯାହାର ନାଁ ରହିଛି ‘ଇଟ ହାପନ୍ସ ଓନଲି ଇନ୍ ଇଣ୍ଡିଆ’ ।
ଏହାକୁ ନେଇ ସୋନୁ କହିଛନ୍ତି ପିଲାଦିନେ ସେ ତାଙ୍କ ଜେଜେମାଆଙ୍କଠାରୁ ରାଜାରାଣୀ କହାଣୀ ଶୁଣୁଥିଲେ । ହେଲେ ଏବେ ସେ ସବୁ ଲୋପ ପାଇଗଲାଣି । ଲୋକେ ସୋସିଆଲ ମିଡିଆ ଯୁଗରେ ଏସବୁ କଥା ଭୁଲି ଗଲେଣି । ପିଲାମାନଙ୍କୁ ଏସବୁ କାହାଣୀ ପରିବର୍ତ୍ତେ ମୋବାଇଲ ବେଶି ପସନ୍ଦ ଆସୁଛି । ତେଣୁ ସେ ପୁଣିଥରେ ସେମିତି କିଛି କାହାଣୀକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ସୋନୁ ପଞ୍ଜାବର ଗଡ ମୋଗା ବାସିନ୍ଦା ହୋଇଥିବା ବେଳେ ସେଠାରେ ତାଙ୍କ ଜେଜେ ଅଣ ଜେଜେ କିଛି ସମ୍ପତ୍ତି ସ୍କୁଲ କଲେଜ ଖୋଲିବାକୁ ଦେଇ ଦେଇଥିଲେ । ଯାହାକୁ ନେଇ ସେ ଆଜି ଗର୍ବ କରନ୍ତି ଆଉ ଆଶ୍ଚର୍ଯ୍ୟ ବି ହୁଅନ୍ତି । ଯେତେବେଳେ ସେ ସେହି ସ୍କୁଲ ବା କଲେଜକୁ ଗେଷ୍ଟ ହୋଇ ଯାଆନ୍ତି ସେତେବେଳେ ସେ ଏକଥା ସେଠାକାର ଶିକ୍ଷୟିତ୍ରୀ/ଶିକ୍ଷକଙ୍କଠାରୁ ଜାଣିବାକୁ ପାଆନ୍ତି । ଏସବୁକୁ ନେଇ ସୋନୁ ଏବେ ଏକ ଭିନ୍ନ ଧରଣର ଶୋ’ ନେଇ ଆସୁଥିବା ପ୍ରକାଶ କରିଛନ୍ତି । ଏମିତିକି ଲକଡାଉନ ସମୟର କାହାଣୀକୁ ନେଇ ସେ ଏକ ପୁସ୍ତକ ରଚନା କରିଥିବା ଜଣାପଡିଛି ।

Share