ୟୁଥ୍‌ କନ୍‌କ୍ଲେଭ୍‌ରେ ଯୋଗଦେଲେ ସୋନୁ ସୁଦ୍‌

ଭୁବନେଶ୍ୱର,୨୪ା୧୧: ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ନିଆରା ପ୍ରଚେଷ୍ଟା ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଶୁକ୍ରବାର ରେଳ ଅଡିଟୋରିୟମ୍‌ଠାରେ ‘ଧରିତ୍ରୀ’ ପକ୍ଷରୁ ୟୁଥ୍‌ କନ୍‌କ୍ଲେଭ୍‌ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଅଭିନେତା ତଥା ୟୁଥ୍‌ ଆଇକନ ସୋନୁ ସୁଦ୍‌। ପୂର୍ବରୁ ଲୋକମାନେ ତାଙ୍କୁ ଅଭିନେତା ଓ ଫିଲ୍ମ ପ୍ରଯୋଜକ ଭାବେ ଜାଣିଥିଲେ। ମାତ୍ର କୋଭିଡ୍‌ ପରେ ସେ ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଥିଲେ। ଏପରି କି ଯୁବପିଢ଼ିଙ୍କ ପାଇଁ ଆଇକନ୍‌ ପାଲଟିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ସୋନୁ ଯୋଗଦେଇ ‘ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ବା ଭାରତର ଅରଣ୍ୟ ମାନବ ଭାବେ ପରିଚିତ ଯାଦବ ପାୟେଙ୍ଗଙ୍କୁ ଉତ୍ତରୀୟ ପ୍ରଦାନ କରିଛନ୍ତି।

‘ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ବା ଭାରତର ଅରଣ୍ୟ ମାନବ ଭାବେ ଯାଦବ ପାୟେଙ୍ଗ ପରିଚିତ। ଆସାମ ଜୋରହାଟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀର ମଜୁଲୀ ଦ୍ୱୀପପୁଞ୍ଜରେ ଥିବା ଚଡ଼ା(sandbar)କୁ ଜଙ୍ଗଲରେ ପରିଣତ କରି ସେ କେବଳ ନିଜ ରାଜ୍ୟ ନୁହେଁ, ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।  ନିଜର ରୋଜଗାର ପାଇଁ ଏକ ଗାଈ ଓ ମଇଁଷି ଫାର୍ମ କରିଛନ୍ତି। ସେହି ଫାର୍ମରୁ କ୍ଷୀର ବିକ୍ରି କରି ଯାଦବ ତାଙ୍କ ପରିବାରକୁ ଚଳାଇଥାନ୍ତି। ପରିବେଶକୁ ଭଲ ପାଉଥିବାରୁ ନୂଆ ଜଙ୍ଗଲ ସୃଷ୍ଟି ଉଦ୍ୟମ ଜୀବନର ଶେଷ ସମୟ ଯାଏ ଜାରି ରଖିବେ ବୋଲି ସେ ପଣ କରିଛନ୍ତି। ଏଥିପାଇଁ ଯାଦବ ବହୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି। ୨୦୧୫ରେ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଯାଦବଙ୍କ ଜୀବନକୁ ନେଇ ଡକ୍ୟୁମେଣ୍ଟାରି ମଧ୍ୟ ପ୍ରସ୍ତୁତ ହୋଇଛି।

Share