ପ୍ରବାସୀ ଶ୍ରମିକ ତଥା ଅସହାୟଙ୍କୁ ସାହାଯ୍ୟ କରି ସମସ୍ତଙ୍କର ପ୍ରିୟ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ନିଜ ମା’ଙ୍କର ଖୁବ୍ ନିକଟତର ଥିଲେ। ଏ କଥା ସେ ଅନେକ ସାକ୍ଷାତକାରରେ କହିସାରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ, ତାଙ୍କର ସବୁଠାରୁ ବଡ଼ ପ୍ରଶଂସକ ଥିଲେ ତାଙ୍କ ମା’। ମା’ ସବୁବେଳେ ତାଙ୍କୁ ଉତ୍ସାହିତ କରୁଥିଲେ। ଅକ୍ଟୋବର ୧୩ରେ ସୋନୁଙ୍କ ମା’ଙ୍କର ଶ୍ରାଦ୍ଧବାର୍ଷିକୀ ଥିଲା। ଏହି ଅବସରରେ ସୋନୁ ମା’ଙ୍କର ଏକ ପୁରୁଣା କଳାଧଳା ଫଟୋ ନିଜର ଇନଷ୍ଟାଗ୍ରାମ୍ରେ ଶେୟାର କରି ଭାବୁକ ହୋଇପଡ଼ିଛନ୍ତି। ଫଟୋ ଶେୟାର କରିବା ସହ ସେ କ୍ୟାପଶନରେ ଲେଖିଛନ୍ତି, ୧୩ ବର୍ଷ ପୂର୍ବେ ଆଜିର ଦିନରେ ଅକ୍ଟୋବର ୧୩ରେ ଜୀବନ ମୋ ହାତରୁ ଚାଲିଗଲା। କ୍ୟାପସନ ଶେଷରେ ସୋନୁ ହାର୍ଟ ଇମୋଜି ଶେୟାର କରିଛନ୍ତି। ଅଭିନେତାଙ୍କ ଏହି ପୋଷ୍ଟକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିବା ସହ ଶେୟାର ମଧ୍ୟ କରୁଛନ୍ତି।