Categories: ଜାତୀୟ

ବିଏମ୍‌ସି ନିର୍ବାଚନ: ସୋନୁ ସୁଦ, ରିତେଶ ଦେଶମୁଖ ହୋଇପାରନ୍ତି ମେୟର ପ୍ରାର୍ଥୀ

ମୁମ୍ବାଇ,୨୪ ।୮: ବୃହାନମୁମ୍ବାଇ ନଗର ନିଗମ(ବିଏମ୍‌ସି) ନିର୍ବାଚନ ଲାଗି ଏବେଠାରୁ ଅଣ୍ଟା ଭିଡିଲାଣି କଂଗ୍ରେସ । ଏହା ପଛର କାରଣ ହେଲା ପୂର୍ବରୁ ଯାହା ଦଳ ହରାଇଛି ତାକୁ ପୁଣିଥରେ ହାସଲ କରିବା ଲକ୍ଷ୍ୟ । ଏଥିପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ନିର୍ବାଚନ ପୂର୍ବରୁ ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ଉଚିତ ବୋଲି ହାଇକମାଣ୍ଡଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଭଳି ପ୍ରାର୍ଥୀ ମଧ୍ୟ ଦିଆଯିବା ଉଚିତ ବୋଲି ଚିନ୍ତା କରାଯାଇଛି । ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ପୁଅ ତଥା ବଲିଉଡ୍ ଅଭିନେତା ରିତେଶ ଦେଶମୁଖ, ମଡେଲ ମିଲିନ୍ଦ ସୋମନ ଏବଂ କରୋନା ସମୟରେ ଜନତାଙ୍କ ପାଇଁ ଦେବଦୂତ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଳି ନାଁକରା ବ୍ୟକ୍ତିଙ୍କୁ ମେୟର ପଦପାଇଁ ପ୍ରାର୍ଥୀ କରାଯିବାକୁ ବି ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ରାଜନୈତିକ କାଗଜପତ୍ରରେ ଯେଉଁ ୩ ଜଣଙ୍କ ନାଁ ଦିଆଯାଇଛି ଏମାନଙ୍କ ମଧ୍ୟରୁ କେହି ଜଣେ ବି କଂଗ୍ରେସର ସଦସ୍ୟ ନୁହଁନ୍ତି । ୨୫ ପୃଷ୍ଠା ବିଶିଷ୍ଟ ଏହି କାଗଜପତ୍ର ସହର କଂଗ୍ରେସର ସଚିବ ଗଣେଶ ଯାଦବ ପ୍ରସ୍ତୁତ କରିଛନ୍ତି । ଏବେ ଏହାକୁ ଅଫିସିୟାଲି ଦଳର ନେତାଙ୍କ ସାମ୍ନାରେ ଉପସ୍ଥାପନ କରାଯିବ । ଆସନ୍ତା କିଛି ଦିନ ମଧ୍ୟରେ ଏହା ମହାରାଷ୍ଟ୍ର ପ୍ରଭାରୀ ଅଖିଳ ଭାରତୀୟ କଂଗ୍ରେସ ପାର୍ଟି(ଏଆଇସିସି) ସଚିବ ଏଚ୍ କେ ପାଟିଲଙ୍କ ସାସ୍ନାରେ ଉପସ୍ଥାପନ କରାଯିବ ବୋଲି ଅନୁମାନ କରାଯାଉଛି ।

Share