ଆସିଲା ସୋନୁଙ୍କ ପୁସ୍ତକ ‘ଆଇ ଆମ ନୋ ମସିହା’ : ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ସମୟରେ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଆଗରେ ବୋଧହୁଏ ଥିଲା ବଲିଉଡ୍ ସେଲିବ୍ରିଟି ସୋନୁ ସୁଦଙ୍କ ନାଁ । ୨୦୨୦ରେ ସେ ଅନ୍ୟମାନଙ୍କ ପାଇଁ ମସିହା ବା ଦେବଦୂତ ସାଜି ଆସିଥିଲେ ବୋଲି କୁହାଯାଏ । ଏହି ସମୟରେ ସେ ଫିଲ୍ମ ବ୍ୟତୀତ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି । ବିଶେଷ କରି ଅସୁବିଧାରେ ପଡିଥିବା ପ୍ରବାସୀଙ୍କୁ ସେମାନଙ୍କ ଗାଁରେ ପହଞ୍ଚାଇବା କାମ ତାଙ୍କୁ ଆଣି ଦେଇଛି ଭିନ୍ନ ପରିଚୟ । ଯାହାକୁ କେହି ସହଜରେ ଭୁଲି ପାରିବେ ନାହିଁ । ଏହାପରେ କେତେକ ସ୍ଥାନରେ ଲୋକେ ସୋନୁଙ୍କ ମୂର୍ତ୍ତି ଅବା ଫଟୋ ରଖି ପୂଜା କରିବା ବି ଆରମ୍ଭ କରି ଦେଲେ । କେହି କେହି ତାଙ୍କ ନାଁରେ ବ୍ୟବସାୟ ବି ଆରମ୍ଭ କରିଥିବା ଦେଖାଯାଇଛି । ଅନେକ ଲୋକଙ୍କ ପାଇଁ ସୋନୁ ଯେମିତି ଭଗବାନ ପାଲଟି ଯାଇଛନ୍ତି । ଏସବୁ ଦେଖିବା ପରେ କିନ୍ତୁ ସୋନୁ ସବୁବେଳେ କହି ଆସିଛନ୍ତି ମୁଁ ଜଣେ ସାଧାରଣ ମଣିଷ । ଆଉ ମୁଁ ଯାହା କରିଛି ତାହା ମୋର କର୍ତ୍ତବ୍ୟ ଥିଲା । ଏବେ ଏହାକୁ ନେଇ ଏକ ପୁସ୍ତକ ଆସିଛି ଯାହାର ନାଁ ରହିଛି’ ଆଇ ଆମ ନୋ ମସିହା ।’ ନିକଟରେ ନିଜେ ସୋନୁ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଏହି ପୁସ୍ତକ ସମ୍ପର୍କରେ ସୂଚନା ଦେଇଛନ୍ତି । ମୁମ୍ବାଇ ଏୟାରପୋର୍ଟର ଥିବା ଏକ ବୁକ ଷ୍ଟଲରେ ସୋନୁଙ୍କର ଏହି ଭିଡିଓଟି ରେକର୍ଡ କରାଯାଇଛି । ମୁମ୍ବାଇ ଏୟାର ପୋର୍ଟରୁ ଯେଉଁମାନେ ଏହାକୁ କିଣିବେ ସେଥିରେ ସୋନୁଙ୍କ ସାଇନ୍ ରହିଥିବା କୁହାଯାଉଛି । ଏବେ ସୋନୁଙ୍କର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

Share