ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍ ତାଙ୍କ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ଜୟପୁରରେ ଏକ ଠେଲାଗାଡ଼ିରୁ ପାଓଭାଜି ଖାଇ ଖୁସି ବାଣ୍ଟିଛନ୍ତି। ୨୦୨୧ ଜାନୁୟାରୀରେ ବଳରାମ ସିଂ ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାମରେ ଏକ ଠେଲାଗାଡ଼ିରେ ଜଳଖିଆ ଦୋକାନ ଖୋଲିଥିଲେ। ତାଙ୍କର ସେହି ଦୋକାନର ଫଟୋ ଉଠାଇ ବିକାଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ସୋନୁଙ୍କୁ ଟ୍ୟାଗ କରି ଟୁଇଟରରେ ପୋଷ୍ଟ କରିଥିଲେ। ଆଉ ଲେଖିଥିଲେ, ସାର୍! ଖାଦ୍ୟ ଖାଇବାକୁ ଜୟପୁର କେବେ ଆସୁଛନ୍ତି? ସେହି ଟୁଇଟର ଜବାବରେ ସୋନୁ ଲେଖିଥିଲେ, ‘ଦିନେ ନିଶ୍ଚୟ ଆସିବି, ହେଲେ ପାଓଭାଜିରେ ମଖନ ଟିକେ ଅଧିକ ପକାଇବ।’ ଗତ ଶନିବାର ବଳରାମଙ୍କ ପାଖକୁ ଏକ ଫୋନ୍କଲ୍ ଆସିଥିଲା ଯେ ସୋନୁ ତାଙ୍କ ଦୋକାନକୁ ଆସୁଛନ୍ତି। ହେଲେ ବଳରାମ ପ୍ରଥମେ ବିଶ୍ୱାସ କରି ନ ଥିଲେ। ପରେ ସୋନୁ ତାଙ୍କ ନିମନ୍ତ୍ରଣ ରଖି ଆସି ଦୋକାନରେ ପହଞ୍ଚିଥିଲେ।