ଗଞ୍ଜାମ ଜିଲାପାଳଙ୍କୁ ସବୁ ପ୍ରମାଣ ଦେଲେ ସୋନୁ ସୁଦ୍‌, ପରେ ବଦଳିଲା ସ୍ବର

ବ୍ରହ୍ମପୁର ଅଫିସ୍‌,୧୮।୫: କରୋନା ସହ ଏବେ ସାରା ଦେଶ ଲଢୁଛି। ଏଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ ଅନ୍ୟତମ। କରୋନା ଆରମ୍ଭରୁ ଲୋକଙ୍କୁ ସାହାଯ୍ୟ କରିବା ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସହାୟତା ଦେଇଥାନ୍ତି ସୋନୁ ସୁଦ। ନିକଟରେ ଗଞ୍ଜାମ ସିଟି ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ସେ ମଧ୍ୟ ତାଙ୍କୁ ସହାୟତା ଯୋଗାଇ ଦେଇ ‘ଚିନ୍ତା କରନ୍ତୁ ନାହିଁ, ବ୍ରହ୍ମପୁର ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଶଯ୍ୟାର ବନ୍ଦୋବସ୍ତ ହୋଇ ସାରିଛି’ ବୋଲି ଟୁଇଟ୍‌ କରିଥିଲେ। ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍‌ ଜରିଆରେ ପ୍ରଥମେ ସୋନୁ ସୁଦଙ୍କ ସାହାଯ୍ୟଙ୍କୁ ଖଣ୍ଡନ କରିଥିଲେ। ଏବେ ସୋନୁ ସୁଦ୍‌ ସମ୍ପୃକ୍ତ ରୋଗୀଙ୍କ ସମସ୍ତ ପ୍ରମାଣ ଦେବାପରେ ଜିଲାପାଳ ନିଜ ସ୍ବର ବଦଳାଇଛନ୍ତି।

ସୂଚନାଯୋଗ୍ୟ, ଜିଲାପାଳ ସୋନୁ ସୁଦଙ୍କ ଟୁଇଟ୍‌ର ସ୍କ୍ରିନସଟ ଶେୟାର କରି ଲେଖିଥିଲେ ଯେ, ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କଠୁ କୌଣସି ଯୋଗାଯୋଗ ପାଇନାହୁଁ କି ତାଙ୍କ ଦାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ। ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି। ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ। ବ୍ରହ୍ମପୁରରେ କରୋନାର ମୁକାବିଲା ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏହାର ତଦାରଖ କରୁଛନ୍ତି।


ଏହା ପରେ ସୋନୁ ସୁଦ ଟୁଇଟ୍‌ କରି ଜିଲାପାଳଙ୍କୁ ଉତ୍ତର ଦେଇଥିଲେ ଯେ, ସାର୍‌, ଆମେ କେବେ ଦାବି କରୁନାହୁଁ ଯେ, ଆମେ ଆପଣଙ୍କ ସହ ଯୋଗାଯୋଗ କରିଛୁ। ଆମେ ସେହି ବ୍ୟକ୍ତିଙ୍କୁ ଶଯ୍ୟାର ବନ୍ଦୋବସ୍ତ କରାଇଛୁ ଯିଏ କରୋନା ସଂକ୍ରମିତ ସ୍ତ୍ରୀର ସାହାଯ୍ୟ ପାଇଁ ଆମ ସହ ଯୋଗାଯୋଗ କରିଥିଲେ। ଆପଣଙ୍କ କାର୍ଯ୍ୟାଳୟ ବହୁତ ଭଲ କାମ କରୁଛି ଏବଂ ଆପଣ ଏହାର ପୁନର୍ବାର ଯାଞ୍ଚ କରି ପାରିବେ ଯେ ଆମେ ତାଙ୍କର ସାହାଯ୍ୟ କରିଥିଲୁ କି ନାହିଁ। ପ୍ରମାଣ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ଚ୍ୟାଟର ସ୍କ୍ରିନସଟ ମଧ୍ୟ ସୋନୁ ପୋଷ୍ଟ କରିଥିଲେ।

ସୋନୁଙ୍କ ଏଭଳି ଟୁଇଟ୍‌ ପରେ ଗଞ୍ଜାମ ଜିଲାପାଳ ତାଙ୍କୁ ଆଉ ଏକ ଟୁଇଟ୍‌ କରି ଲେଖିଛନ୍ତି ଯେ, ଆପଣଙ୍କ ସିଷ୍ଟମକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନ ଥିଲା। ରୋଗୀଙ୍କୁ ଶଯ୍ୟା ସୁନିଶ୍ଚିତ କରିବା ପାଇଁ ୨୪ ଘଣ୍ଟା ଆମର ଟିମ ଗଞ୍ଜାମ ରହିଛି। ତଥାପି ଶଯ୍ୟା ସମ୍ପର୍କିତ କିଛି ସମସ୍ୟା ଅଛି କି ନାହିଁ ତାହା ଯାଞ୍ଚ କରିବା ଆମର କର୍ତ୍ତବ୍ୟ। ଆପଣ ଏବଂ ଆପଣଙ୍କ ଟିମ ମଧ୍ୟ ବହୁତ ଭଲ କାମ କରୁଛନ୍ତି ବୋଲି ଜିଲାପାଳ ସୋନୁଙ୍କୁ ଟୁଇଟ୍‌ ଯୋଗେ କହିଛନ୍ତି।

Share