ମୁମ୍ବାଇ: କରୋନା ଭାଇରସ୍ ଲକ୍ଡାଉନରେ ଫସିରହିଥିବା ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଛାତ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବିଦେଶରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଆଣିବାକୁ ସୋନୁ ଯୋଜନା କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କିର୍ଗିଜସ୍ତାନରେ ଲକ୍ଡାଉନ ଯୋଗୁ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ଆଣିବା ପାଇଁ ଜୁଲାଇ ୨୨ରେ ପ୍ରଥମ ବିମାନ ଉଡାଣ ଭରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜୁଲାଇ ୨୨ରେ ପ୍ରଥମ Bishkek -Varanasi ଚାର୍ଟର ବିମାନ ଚାଲିବ। ଏହାର ସମସ୍ତ ତଥ୍ୟ ଛାତ୍ରଙ୍କ ଇମେଲ ଓ ମୋବାଇଲରେ ପଠାଇ ଦିଆଯିବ। ଚଳିତ ସପ୍ତାହରେ ଅନ୍ୟ କେତେକ ଦେଶରୁ ମଧ୍ୟ ଚାର୍ଟର ବିମାନ ଚଳାଚଳ କରାଯିବ। ଏନେଇ ମଙ୍ଗଳବାର ସୋନୁ ଟୁଇଟ କରି ସୂଚନା ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ ସୋନୁ ବିଦେଶରୁ ଭାରତୀୟଙ୍କୁ ଆଣିବାକୁ ଯାଉଛନ୍ତି। ଯାହାକୁ ନେଇ ଛାତ୍ରଙ୍କ ପରିବାର ଲୋକେ ବେଶ୍ ଉତ୍ସାହିତ ହେବା ସହ ତାଙ୍କର ପ୍ରଶଂସା କରିଚନ୍ତି। ପୂର୍ବରୁ ମଧ୍ୟ ପ୍ରବାସୀଙ୍କୁ ନିଜ ରାଜ୍ୟ ବା ଘରକୁ ପଠାଇ ପ୍ରଂଶସା ସାଉଁଟିଥିଲେ ସୋନୁ।