ପୁଣି ପ୍ରେମରେ ପଡିଛନ୍ତି ସୁରଜ

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନ ଆତ୍ମହତ୍ୟା ମାମଲାରେ ସୁରଜ ପଞ୍ଚୋଲିଙ୍କ ନାମ ପଦାକୁ ଆସିବା ପରେ ତାଙ୍କୁ ପ୍ରାୟ ଏକ ଦଶନ୍ଧି ଧରି ପୋଲିସ ଏବଂ କୋର୍ଟର ଚକ୍କର କାଟିବାକୁ ପଡିଥିଲା। ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ସୁରଜ ପଞ୍ଚୋଲିଙ୍କୁ ଏହି ଅଭିଯୋଗରୁ ମୁକ୍ତ କରିଛି। ଜିଆ ଖାନଙ୍କ ଚିଠି ଆଧାରରେ ତାଙ୍କୁ ଆତ୍ମହତ୍ୟା କରବାକୁ ଉସକାଇଥିବା ଅଭିଯୋଗ ହୋଇଥିଲା। ପଞ୍ଚୋଲି ବର୍ତ୍ତମାନ ଜୀବନର ଏକ ନୂତନ ଆରମ୍ଭ ପାଇଁ ଯୋଜନା କରୁଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ବର୍ତ୍ତମାନ ତାଙ୍କର ଅତୀତ ତାଙ୍କୁ ହଇରାଣ କରୁନାହିଁ। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ କାହା ସହ ସମ୍ପର୍କ ରଖିଛନ୍ତି।
ଜରିନା ୱାହବ ଏବଂ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପଞ୍ଚୋଲି କହିଛନ୍ତି ଯେ ସେ ୭ବର୍ଷ ହେବ ଡେଟ କରୁଛନ୍ତି। ତାଙ୍କର ଏକ ସାକ୍ଷାତକାରରେ ସେ କହିଥିଲେ, ’ମୁଁ ଭାବୁଛି ଯେ ଜିଆଙ୍କ ସହ ମୋର ସମ୍ପର୍କ ବୋଧହୁଏ ମୋର ସବୁଠାରୁ କମ ସମ୍ପର୍କ ଥିଲା। ଏହା ପରେ ମୁଁ ଏକ ରିଲେଶନରେ ଅଛି । ବର୍ତ୍ତମାନ ପ୍ରାୟ ୭ ବର୍ଷ ହୋଇଗଲାଣି ଏବଂ ଏହା ସୁନ୍ଦର ସମ୍ପର୍କ ହୋଇଯାଇଛି। ଏହି ବିଶ୍ୱରେ ପ୍ରେମର ଭାବନା ଏବଂ ପରସ୍ପରର ଯତ୍ନ ନେବା ଭଳି ଆଉ କିଛି ନାହିଁ । ଏହି ସମ୍ପର୍କ ମୋ ପାଇଁ ଅତ୍ୟନ୍ତ ବ୍ୟକ୍ତିଗତ କାରଣ ଅନେକ ଲୋକ ମୋତେ ଖରାପ ପ୍ରେମୀ ବା ସାଥୀ ଭାବରେ ବିଚାର କରିଛନ୍ତି। କେବଳ ମୋର ନିକଟତର ଲୋକମାନେ ଜାଣନ୍ତି ଯେ ମୁଁ କିପରି ଅଛି। ମୋ ବିଷୟରେ ସାଧାରଣ ଧାରଣା ଭୁଲ।

ତେବେ ସୁରଜ ତାଙ୍କ ପ୍ରେମିକାଙ୍କ ନାମ ପ୍ରକାଶ କରି ନ ଥିବା ବେଳେ ଏତିକି କହିଛନ୍ତି କି ସେ ଜଣେ ଅଭିନେତ୍ରୀ ନୁହଁନ୍ତି। କିନ୍ତୁ ସେ ତାଙ୍କ ରିଲେଶନକୁ ପର୍ସନାଲ ରଖିବାକୁ ଚାହୁଥିବା କହିଛନ୍ତି। ବିବାହ କେବେ ହେବ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏଇ କିଛି ବର୍ଷ ମଧ୍ୟରେ ସେ ବିବାହ କରିବାର ଯୋଜନା କରୁଛନ୍ତି। ସୂଚନାଯୋଗ୍ୟ, ୨୦୧୩ରେ ମୁମ୍ବାଇର ଏକ ଫ୍ଲାଟରେ ଅଭିନେତ୍ରୀ ଜିଆ ଖାନ ଆତ୍ମହତ୍ୟା କରିଥିଲେ। ମୁମ୍ବାଇ ପୋଲିସ ଧାରା ୩୦୬(ଆତ୍ମହତ୍ୟା ପାଇଁ ଉସକାଇବା)ଆଧାରରେ ସୁରଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କାରଣ ସୁରଜ ଓ ଜିଆ ରିଲେସନଶିପରେ ଥିଲେ। ଜିଆଙ୍କ ମାଆ ରାବିୟା ଖାନ ଅଭିଯୋଗ କରିଥିଲେ କି ସୁରଜ ଜିଆଙ୍କୁ ହତ୍ୟା କରିଛନ୍ତି। ସେ ସୁରଜଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

Share